ଭୁବନେଶ୍ୱରରୁ ଜୟପୁର ଏବଂ ରାଜସ୍ଥାନକୁ ସିଧାସଳଖ ଉଡିବ ବିମାନ । ଇଣ୍ଡିଗୋ ପକ୍ଷରୁ ନୂଆ ବିମାନ ଉଡାଣ ସେବା ଆରମ୍ଭ

108

ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ । ଏବେ ଆପଣ ଭୁବନେଶ୍ୱରରୁ ସିଧାସଳଖ ଭାବରେ ରାଜସ୍ଥାନର ରାଜଧାନୀ ଜୟପୁରକୁ ଯାତ୍ରା କରିପାରିବେ । ଭୁବନେଶ୍ବରରେ ଏବେ ୧୧ଲକ୍ଷ ରାଜସ୍ଥାନବାସୀ ରହୁଥିବା ବେଳେ ସେମାନଙ୍କୁ ଜୟପୁର ଯିବା ପାଇଁ ଏବେ କୌଣସି ସମସ୍ୟା ହେବ ନାହିଁ । ବହୁ ଦିନର ଅପେକ୍ଷା ପରେ ଏବେ କେନ୍ଦ୍ର ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ପ୍ରୟାସ ପାଇଁ ଏହା ସଫଳ ହୋଇପାରିଛି । ଆଜି ଭର୍ଚୁଆଲ ମୋଡରେ ଏହାର ଉଦଘାଟନ କରାଯାଇଥିବା ବେଳେ ଉଦଘାଟନୀ ସମାରୋହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଇଣ୍ଡିଗୋ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ବିମାନ ଉଡ଼ାଣ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ୩ଟି ଇଣ୍ଡିଗୋ ବିମାନ ପ୍ରତି ସପ୍ତାହରେ ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ଚଳାଚଳ କରିବ । ପୂର୍ବରୁ ଏହି ସୁବିଧା ଉପଲବ୍ଧ ନଥିବାରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଭୁବନେଶ୍ୱର-ଜୟପୁର ସିଧାସଳଖ ବିମାନ ଚଳାଚଳ କରିବାକୁ ଓଡିଶା ସରକାର ଦାବି କରିଥିଲେ । ସେପ୍ଟେମ୍ବର ୧୭ରେ ଦୁଇ ସହର ମଧ୍ୟରେ ବିମାନ ସେବା ଆରମ୍ଭ କରିବାକୁ ତାଙ୍କର ହସ୍ତକ୍ଷେପ ଲୋଡି ସିନ୍ଧିଆଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ପରେ ନଭେମ୍ବର ୨ରୁ ଭୁବନେଶ୍ୱର-ଜୟପୁର ସିଧାସଳଖ ବିମାନ ଚଳାଚଳ  ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ ।