ଉତ୍ତମ ବାସ ଉପଯୋଗୀ ସହର ତାଲିକାର ଦ୍ୱିତୀୟ ସ୍ଥାନରେ ଭୁବନେଶ୍ୱର : ୧୦ ଲକ୍ଷରୁ କମ୍ ଲୋକ ବସବାସ କରୁଥିବା ସହର ମଧ୍ୟରେ ଦେଶରେ ଦ୍ୱିତୀୟ
ମ୍ୟୁନିସିପାଲ ପର୍ଫରମାନ୍ସ ଇଣ୍ଡେକ୍ସରେ ୨୫ ନମ୍ବରରେ ବିଏମସି
କନକ ବ୍ୟୁରୋ : ୧୦ ଲକ୍ଷରୁ କମ୍ ଲୋକ ବସବାସ କରୁଥିବା ସହର ମଧ୍ୟରେ ଭୁବନେଶ୍ବରରେ ରହିବାକୁ ଅଧିକ ଲୋକ ପସନ୍ଦ କରନ୍ତି। ଏପରିକି ଗୁରୁଗ୍ରାମ, ଥିରୁଅନନ୍ତପୁରମ୍, ଗାନ୍ଧୀନଗର ଭଳି ସହର ତୁଳନାରେ ବି ଅଧିକ ଲୋକଙ୍କର ପସନ୍ଦର ସହର ହେଉଛି ଭୁବନେଶ୍ବର। ଉତ୍ତମ ବାସୋପଯୋଗୀ ସହର ତାଲିକାରେ ସିମ୍ଲା ଦେଶରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭୁବନେଶ୍ବର ଦ୍ବିତୀୟ ସ୍ଥାନ ହାସଲ କରିଛି। ରାଜ୍ୟର ଅନ୍ୟ ଏକ ସହର ଭାବେ ରାଉରକେଲା ୫୪ତମ ସ୍ଥାନରେ ରହିଛି। ଅପରପକ୍ଷେ ପୌରସଂସ୍ଥାର ପ୍ରଦର୍ଶନ ସୂଚୀ (ମ୍ୟୁନିସିପାଲ୍ ପରଫରମାନ୍ସ ଇଣ୍ଡେକ୍ସ)ରେ ଭୁବନେଶ୍ବର ମହାନଗର ନିଗମକୁ ୨୫ତମ ସ୍ଥାନ ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦେଶର ୧୧୧ଟି ସହରକୁ ନେଇ ହୋଇଥିବା ‘ଇଜ୍ ଅଫ୍ ଲିଭିଙ୍ଗ୍ ଇଣ୍ଡେକ୍ସ-୨୦୨୦’ ସର୍ଭେରେ ଭୁବନେଶ୍ବରକୁ ଏହି ସଫଳତା ମିଳିଛି। ଆଜି ଏ ନେଇ ବିଭାଗୀୟ ମନ୍ତ୍ରୀ ହରଦୀପ୍ ସିଂହ ପୁରୀ ଘୋଷଣା କରିଛନ୍ତି। ସହରରେ ଲୋକଙ୍କ ଜୀବନଶୈଳୀ, ଆର୍ଥିକ ସାମର୍ଥ୍ୟ, ନିରନ୍ତର ବିକାଶ, ନାଗରିକଙ୍କ ମତାମତ ଆଦିକୁ ବିଚାର କରି ଏହି ସର୍ଭେ ହୋଇଥିଲା । ଏହି ଚାରିଟି ବର୍ଗରେ ୧୩ଟି ଶ୍ରେଣୀ ଯଥା ଶିକ୍ଷା, ସ୍ବାସ୍ଥ୍ୟ, ଗୃହ ଓ ଆଶ୍ରୟସ୍ଥଳୀ, ସଫେଇ, ଗମନାଗମନ ବ୍ୟବସ୍ଥା, ସୁରକ୍ଷା ଓ ନିରାପତ୍ତା, ଆମୋଦପ୍ରମୋଦ, ଆର୍ଥିକ ଉନ୍ନତି ସ୍ତର, ଆର୍ଥିକ ସୁଯୋଗ, ସବୁଜିମା, କୋଠାବାଡ଼ି, ଶକ୍ତି ସଂରକ୍ଷଣ, ସହରର ସ୍ଥିରତା ଆଦି ଉପରେ ସର୍ଭେ ହୋଇଥିଲା।