ସ୍ମାର୍ଟ ସିଟି ଭୁବନେଶ୍ୱରରେ ମାତିଛନ୍ତି ଅପରାଧୀ । କମିସନରେଟ୍ ପୁଲିସଙ୍କୁ ଖୋଲା ଚ୍ୟାଲେଂଜ, ରାସ୍ତା ଉପରେ ଅସାମାଜିକଙ୍କ ଦୌରାତ୍ମା

209

କନକ ବ୍ୟୁରୋ : ସ୍ମାର୍ଟ ସିଟି ଭୁବନେଶ୍ୱରରେ ମାତିଛନ୍ତି ସ୍ମାର୍ଟ ଅପରାଧୀ । ଯାହା ସବୁ ଘଟଣା ଘଟୁଛି ସବୁ କିଛି ଯେମିତି ସିନେମାର ଷ୍ଟଂଟ ସିନ । ଆଉ ଏହି ସବୁ ଘଟଣା ଲୋକଙ୍କ ଛାତି ଥରାଇବା ସ୍ୱଭାବିକ । ଯାଗମରାରେ ରାସ୍ତା ଉପରେ ଭାଇଗିରିର ତାଣ୍ଡବ ଭିଡିଓ ଦେଖି ଅଂଚଳବାସୀ ରାତି ହେଲେ ଘରୁ ବାହାରିବାକୁ ଡରୁଛନ୍ତି । ଘଟଣା ପରେ ଉକ୍ତ ଖଟିକୁ ଭଙ୍ଗା ଯାଇଛି ସତ, ହେଲେ ରାଜରାସ୍ତାକୁ ହାଇଯାକ କରି, ମାଡ ମାରିବା ଘଟଣା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ସେପଟେ କିଟ ଅଂଚଳର ଜଣେ ଡ୍ରାଇଭର ୨ କିଲୋମିଟର ପର୍ଯ୍ୟନ୍ତ ଗାଡି ଘୋଷାଡିନେବା ଦୃଶ୍ୟ ବି ଲୋକଙ୍କ ମନରୁ ଲିଭୁନି । ଆଉ ପଦାକୁ ବାହାରିବା କଥା ଛାଡନ୍ତୁ, ଘର ଭିତରେ ପଶି ଲୁଟେରା ତାଡିବା ଆରମ୍ଭ କରିଛନ୍ତି । ଏକୁଟିଆ ଘର ତ ଘର ଆପାର୍ଟମେଂଟରେ ସିରିଜ ଚୋରି ଲୋକଙ୍କ ନିଦ ହଜାଇ ଦେଇଛି ।

ଅନ୍ୟପଟେ ଭୁବନେଶ୍ୱରେ ଗତ କିଛି ଦିନ ହେବ ବଢି ଚାଲିଥିବା ଅପରାଧକୁ ନେଇ ନିନ୍ଦା କରିଛନ୍ତି ପୁର୍ବତନ ସିଟି ଡିଏସପି । ଟ୍ରାଫିକ ସମସ୍ୟା ଠାରୁ ଆରମ୍ଭ କରି ସାଇବର ଅପରାଧ । ଆପାର୍ଟମେଂଟ ଲୁଟ ଠାରୁ ଆରମ୍ଭ କରି ରାସ୍ତାରେ ହଣାକଟା ଭଳି ଘଟଣା ସାମନାକୁ ଆସିବା ପରେ, ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।

ରାଜଧାନୀ ରାସ୍ତାରେ ଅପରାଧୀଙ୍କ ହାଇଡ୍ରାମା ଦେଖିଲେ ଲାଗୁଛି ଯେମିତି କମିଶନରେଟ ପୁଲିସକୁ ଚ୍ୟାଲେଞ୍ଜ ଅପରାଧୀ ମାନେ ଦେଉଛନ୍ତି । ଏମାନଙ୍କୁ କଡା ଦଫା ଲଗାଇ ଜେଲ ପଠା ଯାଉଛି । କିନ୍ତୁ ଜେଲ ଫେରନ୍ତା ଅପରାଧୀମାନେ ପୁଣି ଆଇନକୁ ହାତକୁ ନେଉଛନ୍ତି । ଆଉ ଭାଇଗିରି ଆରମ୍ଭ କରି ଦେଉଛନ୍ତି । ତେବେ ଏହି ପେସାଦାର ଅପରାଧୀ ଓ ଅସାମାଜିକଙ୍କୁ ଖୁବଶୀଘ୍ର ତଡିପାର ପାଇଁ ପୁଲିସ ପ୍ରକ୍ରିୟା ଆରମ୍ଭ କରିଥିବା ଜଣା ପଡିଛି ।