ରାଜଧାନୀର ଅଲୋଡ଼ା ରେକର୍ଡ : ଦେଶର ଅନ୍ୟ ସହର ତୁଳନାରେ ଭୁବନେଶ୍ୱରରେ ଦୁର୍ନୀତିର ମାତ୍ରା ଅଧିକ

ନୀତି ଆୟୋଗର ଏସଡିଜି ସହରାଂଚଳ ସୂଚକାଙ୍କରେ ରହିଛି ଏଭଳି ଚିନ୍ତାଜନକ ତଥ୍ୟ

168

କନକ ବ୍ୟୁରୋ : ଦେଶର ଅନ୍ୟ ସହର ତୁଳନାରେ ଭୁବନେଶ୍ବରରେ ଦୁର୍ନୀତିର ମାତ୍ରା ଅଧିକ। ଏଠାରେ ପ୍ରତି ଏକ ଲକ୍ଷରେ ୩.୨୯ ଜଣ ଦୁର୍ନୀତି କରୁଥିବାର ଅଭିଯୋଗ ହେଉଛି । ନିତି ଆୟୋଗର ଏସ୍‌ଡିଜି (ନିରନ୍ତର ବିକାଶ ଲକ୍ଷ୍ୟ) -୧୬, ସହରାଞ୍ଚଳ ସୂଚକାଙ୍କରେ ଏପରି ଚିନ୍ତାଜନକ ତଥ୍ୟ ମିଳିଛି । ଭୁବନେଶ୍ବର ପଛକୁ ମହାରାଷ୍ଟ୍ରର ଔରାଙ୍ଗାବାଦ ସହର ଥିବା ବେଳେ ଏଠାରେ ପ୍ରତି ୧ଲକ୍ଷ ଜନସଂଖ୍ୟାରେ ୨.୦୨ ଜଣଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସୁଛି । ଏହି ସର୍ଭେରେ ସାମିଲ ହୋଇଥିବା ୫୬ଟି ସହର ତୁଳନାରେ ଭୁବନେଶ୍ବରରେ ଦୁର୍ନୀତି ଅଭିଯୋଗ ଅଧିକ ରହିଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ୫୬ ସହର ମଧ୍ୟରୁ ୩୦ ସହରରେ ଆଦୌ ଦୁର୍ନୀତି ଅଭିଯୋଗ ଆସି ନ ଥିବା ଏହି ସର୍ଭେରେ ଦର୍ଶାଯାଇଛି । ତେଣୁ ଏପରି ଏକ ଅଲୋଡ଼ା ରେକର୍ଡ ଜାତୀୟ ସ୍ତରରେ ଭୁବନେଶ୍ବରର ଛବି ମଳିନ କରିବାର ଆଶଙ୍କା ରହିଛି । କେବଳ ଦୁର୍ନୀତି ନୁହେଁ, ଭୁବନେଶ୍ବରରେ ଅପରାଧ ସ୍ଥିତି ମଧ୍ୟ ଉଦ୍‌ବେଗଜନକ । ଦେଶର ୫୬ଟି ସହର ମଧ୍ୟରୁ ଅପରାଧ ଦୃଷ୍ଟିରୁ ବିଚାର କଲେ ଭୁବନେଶ୍ବର ଓ ଦିଲ୍ଲୀ ଯୁଗ୍ମ ଭାବେ ସପ୍ତମ ସ୍ଥାନରେ ରହିଛନ୍ତି । ସ୍ମାର୍ଟସିଟି ଭୁବନେଶ୍ବର ପାଇଁ ଗୃହବିଭାଗ ସର୍ବଦା ପ୍ରାଥମିକତା ଦେଉଛି । ଏହାସତ୍ତ୍ବେ ନିତି ଆୟୋଗର ଏସ୍‌ଡିଜି ରିପୋର୍ଟ କାର୍ଡରେ ଭୁବନେଶ୍ବରର ୭ମ ସ୍ଥାନରେ ରହିବାକୁ ନେଇ କମିସନରେଟ୍ ପୁଲିସର କାର୍ଯ୍ୟଦକ୍ଷତା ଓ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅପରାଧ ପାଇଁ ଚର୍ଚ୍ଚିତ ରାଜ୍ୟର ଅନ୍ୟ ସହର ଭୁବନେଶ୍ବରଠାରୁ ଅପରାଧ ଦୃଷ୍ଟିକୋଣରୁ ଉନ୍ନତ ସ୍ଥିତିରେ ରହିଛନ୍ତି ।

ଶିଶୁ ନିଖୋଜ ମାମଲାରେ ମଧ୍ୟ ଭୁବନେଶ୍ବରର ସ୍ଥିତି ଖରାପ ରହିଛି। ରାଜଧାନୀରେ ପ୍ରତି ୧୦ହଜାର ଶିଶୁଙ୍କ ମଧ୍ୟରୁ ୧୦ଜଣ ଶିଶୁ ନିଖୋଜ ହେଉଛନ୍ତି । ବିହାର, ଉତ୍ତରପ୍ରଦେଶ ଭଳି ଅପରାଧ ପ୍ରବଣ ରାଜ୍ୟରେ ବି ଏତେ ସଂଖ୍ୟାରେ ଶିଶୁ ନିଖୋଜ ହେଉ ନ ଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ସେହିଭଳି ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧରେ ମଧ୍ୟ ଭୁ‌ବନେଶ୍ବର ସ୍ଥିତି ଭଲ ନାହିଁ। ଏଠାରେ ପ୍ରତି ୧୦ହଜାର ଶିଶୁଙ୍କ ମଧ୍ୟରୁ ୩ଜଣ ଏହାର ଶିକାର ହେଉଥିବା ଇଣ୍ଡେକ୍ସ ରିପୋର୍ଟ କହୁଛି। ସାଇବର ଠକେଇରେ ସବୁ ସହରକୁ ଟପି ଯାଇଛି ଭୁବନେଶ୍ବର । ଦେଶର ଅନେକ ବଡ଼ ବଡ଼ ଓ ଧନୀ ସହରରେ ଯେତିକି ସାଇବର ଠକେଇ ହେଉନାହିଁ ତା’ଠାରୁ ଯଥେଷ୍ଟ ଅଧିକ ସଂଖ୍ୟାରେ ସାଇବର ଅପରାଧ ଭୁବନେଶ୍ବରକୁ କବ୍‌ଜା କରି ରଖିଛି । ଭୁବନେଶ୍ବରରେ ପ୍ରତି ଲକ୍ଷେ ଲୋକଙ୍କ ମଧ୍ୟରୁ ୧୪ଜଣ(୧୪.୦୬) ଲୋକ ସାଇବର ଠକେଇର ଶିକାର ହେଉଛନ୍ତି । ସାଇବର ଠକେଇର କେନ୍ଦ୍ରବିନ୍ଦୁ କୁହାଯାଉଥିବା ଝାଡ଼ଖଣ୍ଡ ଓ ରାଜସ୍ଥାନର, ଧାନବାଦ ଓ କୋଟା ସହରରେ ମଧ୍ୟ ଏତେ ପରିମାଣର ସାଇବର ଠକେଇ ହେଉନାହିଁ ।

ଧାନବାଦରେ ପ୍ରତି ଲକ୍ଷେ ଜଣଙ୍କ ମଧ୍ୟରେ ୮ଜଣ ଲୋକ ସାଇବର ଠକେଇର ଶିକାର ହେଉଥିବା ବେଳେ କୋଟାରେ ମାତ୍ର ୩ଜଣ ଠକେଇର ଶିକାର ହେଉଛନ୍ତି । ଏପରିକି ମୁମ୍ବାଇ ସହରରେ ମଧ୍ୟ ଲକ୍ଷେରେ ୧୩ଜଣ(୧୩.୭୦) ସାଇବର ଠକଙ୍କ ହାବୁଡ଼ରେ ପଡ଼ୁଥିବା ରିପୋର୍ଟରେ କୁହାଯାଇଛି । ସୂଚନାଯୋଗ୍ୟ, ଦେଶର ବିଭିନ୍ନ ରାଜ୍ୟରୁ ସର୍ବମୋଟ ୫୬ଟି ସହରକୁ ଚୟନ କରାଯାଇଥିବା ବେଳେ ଓଡ଼ିଶାରୁ ରାଜଧାନୀ ଭୁବନେଶ୍ବର ଏଥିରେ ସାମିଲ ହୋଇଥିଲା । ୫୬ଟି ସହର ପାଇଁ ଏସଡିଜି-୧୬ରେ ଅପରାଧିକ ପୃଷ୍ଠଭୂମି ଉପରେ ସର୍ବେକ୍ଷଣ ହୋଇଥିଲା। ଯେଉଁଥିରେ ଭୁବନେଶ୍ବରକୁ ମୋଟ ୧୦୦ରୁ ୭୧ ମାର୍କ ମିଳିଥିବା ବେଳେ ସମୁଦାୟ ୪୯ତମ ରୢାଙ୍କ୍‌ରେ ରହିଛି। ହିମାଚଳପ୍ରଦେଶର ସିମ୍‌ଲା ୯୯ମାର୍କ ସହ ସବୁଠାରୁ କମ୍ ଆପରାଧିକ ସହର ଭାବେ ଶୀର୍ଷ ସ୍ଥାନରେ ରହିଛି ।