କନକ ବ୍ୟୁରୋ : ପେଶା ଠକେଇ । ମାଧ୍ୟମ ହନିଟ୍ରାପ୍ । ହନିଟ୍ରାପ୍ ଆଳରେ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଲେଡି ଡନ୍ ଇରାନୀକୁ କାବୁ କରିଛି କମିଶନରେଟ୍ ପୁଲିସ୍ । ଲେଡି ଡନ୍ର ରାକେଟ୍ ପର୍ଦ୍ଦାଫାଶ୍ ହେବା ପରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଜଣେ ଡାକ୍ତରଙ୍କୁ ଚିକିତ୍ସା ବାହାନାରେ ଘରକୁ ଡାକି ଅପହରଣ କରିବା ପରେ ହନିଟ୍ରାପରେ ଫଶାଇ ଦେଇଥିଲା ଲେଡି ଡନ୍ । ଆଉ ଏଥିରେ ସହଯୋଗ କରିଥିଲେ ଲେଡି ଡନ୍ର ସ୍ୱାମୀ ଓ ଦୁଇ ସହଯୋଗୀ । ହନିଟ୍ରାପ୍ ଭୟ ଦେଖାଇ ୧ଲକ୍ଷ ଟଙ୍କା ସହ ୯ ଲକ୍ଷର ଚେକ୍ ଛଡ଼ାଇ ନେଇଥିବା ପୁଲିସ୍ ସୂଚନା ଦେଇଛି ।

Advertisment

ଘଟଣାଟି ଥିଲା ଠିକ୍ ଏମିତି- ଭୁବନେଶ୍ୱରରେ ରହୁଥିବା ଜଣେ ମେଡ଼ିକାଲ ଅଫିସର ଯାଜପୁର ମଧୁବନ ସିଏଚସିରେ ଥିବା ବେଳେ ତାଙ୍କର ଇରାନୀଙ୍କ ସହ ସାକ୍ଷାତ ହୋଇଥିଲା । ଜଣେ ରୋଗୀ ହିସାବରେ ଡାକ୍ତର ଇରାନୀଙ୍କୁ ଚିକିତ୍ସା କରିଥିଲେ । ଇରାନୀ ସେବେଠାରୁ ସେହି ଡାକ୍ତରଙ୍କ ସଂସ୍ପର୍ଶରେ ଆସିବା ସହ ତାଙ୍କ ମୋବାଇଲ ନମ୍ବରକୁ ବେଳେବେଳେ ଯୋଗାଯୋଗ କରୁଥିଲେ । ଭୁବନେଶ୍ୱର ଆସି ଡାକ୍ତରଙ୍କଠାରୁ ସେମ୍ପୁଲ ମେଡ଼ିସିନ ମଧ୍ୟ ନେଉଥିଲେ । ହେଲେ ୮ ତାରିଖରେ ଘଟିଥିଲା ଏକ ସାଂଘାତିକ୍ ଷଡ଼ଯନ୍ତ୍ର । ଇରାନୀ ଡାକ୍ତରଙ୍କୁ ଫୋନ କରି ବାପାଙ୍କ ଦେହ ଖରାପ ଅଛି, ତୁରନ୍ତ ଆସିବାକୁ କହିଥିଲେ । ଲେଡି ଡନ୍ର କଥାକୁ ବିଶ୍ୱାସ କରି ନାରଗୋଦାରେ ଥିବା ଭଡ଼ାଘରେ ପହଞ୍ଚିଥିଲେ ଡାକ୍ତର ।

ଚିକିତ୍ସା ପାଇଁ ଡାକ୍ତର ଘରେ ପହଞ୍ଚିବା ମାତ୍ରେ ଇରାନୀ ତାଙ୍କୁ କୁଣ୍ଢାଇ ଧରିଥିଲେ । ଆଉ ଜୋର ଜୋରରେ ପାଟି କରିଥିଲେ । ପୂର୍ବରୁ ଯୋଜନା ମୁତାବକ ତାର ସ୍ୱାମୀ ଓ ଦୁଇ ସହଯୋଗୀ କବାଟ ବନ୍ଦ କରି ଦେଇ ଡାକ୍ତରଙ୍କୁ ମାଡ଼ ମାରିଥିଲେ । ଡାକ୍ତରଙ୍କ ଗାଡ଼ି ଚାବି, ମୋବାଇଲ ଓ ସୁନା ବ୍ରେସଲେଟ୍ ଛଡ଼ାଇ ନେଇଥିଲେ । ଇରାନୀ ଡାକ୍ତରଙ୍କୁ ଅସଦାଚରଣ ଭୟ ଦେଖାଇ ୨୫ ଲକ୍ଷ ଟଙ୍କା ମୁଣ୍ଡଜାମିନ ମାଗିଥିଲେ । ଭୟରେ ଡାକ୍ତର ଜଣକ ୧୦ ଲକ୍ଷ ଦେବା ପାଇଁ ରାଜି ହୋଇଥିଲେ । ୧ ଲକ୍ଷ ଟଙ୍କା ଫୋନପେ’ରେ ନେଇଥିବା ବେଳେ ୯ ଲକ୍ଷ ଟଙ୍କାର ଚେକ୍ ଛଡ଼ାଇ ନେଇଥିଲେ ।

ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫ ୪ ଜଣ ହେଲେ ଲେଡି ଡନ୍ ଇରାନୀ ପାତ୍ର, ତାର ସ୍ୱାମୀ ନିଶିକାନ୍ତ ପାତ୍ର, ତମାଣ୍ଡୋର ଗଣେଣ ଓରଫ ମନୋରଂଜନ ପ୍ରଧାନ ଓ ସଜିପୁଟ ଗାଁର ଶକ୍ତିକାନ୍ତ ହରିଚନ୍ଦନ । ପୁଲିସ୍ ସେମାନଙ୍କଠାରୁ ୩୦ ହଜାର ଟଙ୍କା, ୯ ଲକ୍ଷର ଚେକ୍, ଗୋଟିଏ ଛୁରୀ ଏବଂ ଦୁଇଟି ଦାମୀ ମୋବାଇଲ ଜବତ କରିଛି । ପୂର୍ବରୁ ଲୋକଲଜ୍ୟାରେ ଡାକ୍ତର କିଛି ଦିନ ଚୁପ ରହିବା ପରେ ଶେଷରେ ବାଧ୍ୟ ହୋଇ ପୁଲିସର ସହାୟତା ନେଇଥିଲେ । ଗତକାଲି ରାତି ପୁଲିସ୍ ଇରାନୀ ସମେତ ତାର ସ୍ୱାମୀ ଓ ଦୁଇ ସହଯୋଗୀଙ୍କୁ ଉଠାଇ ଆଣିଛି । ଏହି ୪ ଜଣଙ୍କୁ ଗିରଫ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଛି ।

ବଡ଼ କଥା ହେଉଛି ପୁଲିସ ତଦନ୍ତରୁ ଇରାନୀ ହନିଟ୍ରାପ ଜରିଆରେ ଅନେକ ବଡ଼ ଲୋକଙ୍କୁ ଫସାଇଥିବା ଜଣାପଡ଼ିଛି । ସୁନ୍ଦର ଚେହରା ଓ ଚାଲାକ୍ ବୁଦ୍ଧି ବଳରେ ବଡ଼ ବଡ଼ିଆଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଲୁଟ୍ କରିଥିବା ଜଣାପଡ଼ିଛି । ପୂର୍ବରୁ କଳିଙ୍ଗ ନଗରରେ ଜଣେ ବ୍ୟବସାୟୀ ଇରାନୀ ଫାଶରେ ପଡ଼ିଯାଇଥିଲେ । ପରେ ଇରାନୀ ତାଙ୍କଠାରୁ ସେକ୍ସ ଆଳ ଦେଖାଇ ୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ସେହିପରି ଅନ୍ୟ ଜଣେ ବ୍ୟବସାୟୀଙ୍କଠାରୁ ୫ଲକ୍ଷ ଟଙ୍କା ସମାନ ଢଙ୍ଗରେ ଲୁଟ କରିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି ।