ରାଜଧାନୀ ରାସ୍ତାରେ ପ୍ରେମୀ ଯୁଗଳଙ୍କ ହାଇଡ୍ରାମା : ଦୁଇ ଜଣଙ୍କ ଭିତରେ ଝଗଡା ପରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର ବରମୁଣ୍ଡା ଭରତପୁର ରାସ୍ତାର ଚିତ୍ର

1,321

କନକ ବ୍ୟୁରୋ : ପ୍ରେମିକ-ପ୍ରେମିକାଙ୍କ ଭିତରେ ପ୍ରାୟତଃ ମନୋମାଳିନ୍ୟ ଦେଖାଯାଏ । ରାଗ, ରୁଶା, ମାନ, ଅଭିମାନ ପ୍ରେମ ଭିତରେ ବାରମ୍ବାର ଆସେ । ହେଲେ ସେହି ରାଗରୁଶା ଯେତେବେଳେ ରାଜଧାନୀ ରାଜରାସ୍ତାରେ ଚାଲେ, ଏବଂ ଆତ୍ମହତ୍ୟା ଭଳି ଉଦ୍ୟମ ହୁଏ ତାହା ଖବର ପାଲଟିଯାଏ ।

ଗତକାଲି ରାଜଧାନୀ ରାଜରାସ୍ତାରେ ହୋଇଥିବା ଏହିଭଳି ଏକ ହାଇଡ୍ରାମା ସାମ୍ନାକୁ ଆସିଛି । ଭୁବନେଶ୍ୱର ବରମୁଣ୍ଡାରୁ ଭରତପୁର ଯାଇଥିବା ରାସ୍ତାର ଜଗନ୍ନାଥ ବିହାର ଅଂଚଳରେ ଏକ ପ୍ରେମୀ ଯୁଗଳଙ୍କ ଭିତରେ କିଛି ଏମିତି ଘଟିଥିଲା, ଯାହା ରାସ୍ତାରେ ଯାଉଥିବା ଲୋକଙ୍କୁ ଘଡିଏ ଅଟକାଇ ଦେଇଥିଲା ।

ଫିଲ୍ମର କାହାଣୀ ଭଳି ଲାଗୁଥିଲେ ବି ଏହା କୌଣସି କାହାଣୀର ଦୃଶ୍ୟ ନଥିଲା । ପ୍ରଥମେ ଏକ ସ୍କୁଟି ଆସି ଅଟକିଥିଲା । ଏଥିରେ ଥିବା ପ୍ରେମୀ ଯୁଗଳଙ୍କ ମଧ୍ୟରୁ ଝିଅଟି ଏକ ଡିସଇନଫେକଟାଂଟ ପିଇବାକୁ ଉଦ୍ୟମ କରିବାରୁ ଯୁବକ ଜଣକ ବ୍ୟସ୍ତ ହୋଇପଡିଥିଲେ । ପରେ ଯୁବତୀ ଏକ ଉଚ୍ଚ ସ୍ଥାନରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ ।

ସେମାନଙ୍କ ଏହିଭଳି ଦୌଡା ଦୌଡି ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା ଲୋକ ଅଟକି ଯାଇଥିଲେ । ଏତିକି ବେଳେ ସଂଜ୍ଞା ହରାଇ ତଳେ ପଡିଗଲେ ଯୁବତୀ । ପରେ ଯୁବକ ତାଙ୍କୁ ଉଠାଇ ହସ୍ପିଟାଲ ନେବାକୁ ଉଦ୍ୟମ କଲାବେଳେ ଯୁବତୀଙ୍କ ଚେତା ଫେରିଥିଲା । ଏହାପରେ ତାଙ୍କୁ ହସ୍ପିଟାଲ ନେବାକୁ ଚଲାଇ ଚଲାଇ ନେଇଥିଲେ ସଂପୃକ୍ତ ଯୁବକ । ହସ୍ପିଟାଲରେ ସଂପୃକ୍ତି ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।