ଆସିଲା କଚାଡିଲା । ତାଣ୍ଡବ ରଚିଲା ଝଡ଼ବର୍ଷା : ଉଡ଼ିଲା ଛପର, ଉପୁଡିଲା ବିଦ୍ୟୁତ୍‌ ଖୁଣ୍ଟ

1,064

କନକ ବ୍ୟୁରୋ : ପ୍ରବଳ ବର୍ଷା ଓ ପବନ ମାଡ ଖାଇଲା ରାଜଧାନୀ । ରାଜଧାନୀ ଆକାଶରେ ହଠାତ୍‌ ମାଡ଼ି ଆସିଥିଲା କଳାହାଣ୍ଡିଆ ମେଘ। କେହି କିଛି ବୁଝିବା‌ ପୂର୍ବରୁ ତୁହାକୁ ତୁହା ପବନ ବାଡ଼େଇଥିଲା। ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୩୦ରୁ ୪୦ କିମି ରହିଥିଲା। ସ୍ଥଳ ବିଶେଷରେ ପବନର ବେଗ ୫୦ କିମି ବି ଝୁଇଁଥିଲା। ଯେଉଁଥିରେ ରାଜଧାନୀ ଉପକଣ୍ଠରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାରଙ୍ଗ, ଚନ୍ଦ୍ରଶେଖରପୁର, ନନ୍ଦନକାନନ, ରଘୁନାଥପୁର, ବାଲିଅନ୍ତା ଆଦି ଅଞ୍ଚଳରେ ଲୋକଙ୍କ ଘରର ଛପର ଉଡ଼ିଯାଇଛି। କେତେକ ସ୍ଥାନରେ ଘର ଭାଙ୍ଗିଥିବା ବେଳେ ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି। ଯେଉଁଥିପାଇଁ ରାତି ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ହୋଇପାରି ନ ଥିବା ସୂଚନା ମିଳିଛି। ଏହି ସମୟ‌ ମଧ୍ୟରେ ଭୁବନେଶ୍ବରରେ ୧୩.୨ ମିମି ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ହଠାତ୍ ପବନ ସହ ବର୍ଷା ହେବା ଯୋଗୁଁ ବାରଙ୍ଗ, ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ବର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ନନ୍ଦନକାନନ ଛକରେ ପର୍ଯ୍ୟଟକମାନେ ବର୍ଷାରେ ଭିଜିଭିଜି ନାକେଦମ ହୋଇଥିବା ବେଳେ ଉକ୍ତ ଅଞ୍ଚଳରେ ଥିବା ପୋଷ୍ଟର ଓ ବ୍ୟାନର ଚିରି ଯାଇଥିଲା। ରଘୁନାଥପୁର ବ୍ରିଜ୍ ନିକଟରେ ଗୋଟିଏ ୫୦ ଫୁଟର ଲୁହା ହୋଡ଼ିଂ ଷ୍ଟାଣ୍ଡ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା। ନନ୍ଦନକାନନ-କିଟ୍ ଛକ ରାସ୍ତାରେ ଲୁହା ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିବାରୁ କିଛି ସମୟ ପାଇଁ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ପଟିଆ ଛକରେ ପ୍ରବଳ ପବନ ହେଉଥିବା ବେଳେ ଦୁଇଟି କାର୍ ନିୟନ୍ତ୍ରଣ ‌ହରାଇ ଦୁର୍ଘଟଣା ଗସ୍ତ ହୋଇଥିଲେ। ଉଭୟ କାର୍‌ର ଚାଳକମାନେ ଅଳ୍ପକେ ବର୍ତିଯାଇଥିଲେ। ସେହିପରି ଡମଣା-ନା‌ଲକୋ ରାସ୍ତାରେ ବର୍ଷା ପାଣି ଜମି ରହିଥିବାରୁ ଦୁଇଟି ବାଇକ୍‌ ଦୁର୍ଘଟଣାଗସ୍ତ ହୋଇଥିଲା। କିଟ୍ ଛକରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଥିଲା। ‌ମଞ୍ଚେଶ୍ବର ଷ୍ଟେସନ୍‌, ପଟିଆ ପିଏଚ୍ ଓ ନିୟ୍ୟୁ ଭୁବନେଶ୍ବର ଷ୍ଟେସନ୍‌ରେ ପ୍ଲାଟଫର୍ମର ଟିଣ, ଆଜବେଷ୍ଟ ଉଡ଼ିଯାଇଛି।

ପଟିଆ, ଡ଼ମଣା ଓ ରଙ୍ଗମାଟିଆ ଗ୍ରାମରେ ବହୁତ ପରିମାଣ ଫଳନ୍ତି ଗଛ ଉପୁଡ଼ି ପଡ଼ିଛି। ସବୁଠାରୁ ବଡ଼ କଥା ହେଉଛି ଯେ ଝଡ଼ବର୍ଷାରେ କାନନବିହାରସ୍ଥିତ ଶ୍ରୀହର୍ସ ମିଶ୍ର ମେମୋରିଆଲ୍‌ ସ୍କୁଲ ଫର୍‌ ଦି ଡିପ୍‌ର ଛପର ଉଡ଼ିଯିବାରୁ ପିଲାମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କେତେକ ସ୍ଥାନରେ କୁଆପଥର ବି ପଡ଼ିଛି। ବାରଙ୍ଗ ଅଞ୍ଚଳର ମଧୁପୁର,ପଞ୍ଚୁପାଳ,ଫୁଲପୋଖରୀ ଓ ଦାଢ଼ାପାଟଣା ଗାଁ ଦାଣ୍ଡରେ ଜଳ ନିଷ୍କାସିତ ହୋଇ ନପାରିବାରୁ ଆଣ୍ଠୁଏ ଉପରେ ପାଣି ଜମି ରହିଥିଲା। କଣ୍ଟାପାଟଣା, ଦାଢ଼ାପାଟଣା ଓ ଚଣ୍ଡୀପ୍ରସାଦ ରେଳ ପୋଲ ତ‌ଳ ରାସ୍ତାରେ ଅଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବାରୁ ଲୋକେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବାରଙ୍ଗଠାରୁ ଦାରୁଠେଙ୍ଗ ରାସ୍ତା ପାର୍ଶ୍ବରେ ଥିବା ୩ଟି ୧୧କେଭି ବିଦ୍ୟୁତ୍ ଖୁଣ୍ଟି, କେନ୍ଦୁପାଟଣା ଓ ଟାଙ୍ଗିମନ୍ତଠାରେ ବିଦ୍ୟୁତ୍ ଖୁଣ୍ଟି ଉପୁଡ଼ି ପଡ଼ିବାରୁ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଥିଲା।