କନକ ବ୍ୟୁରୋ : ଅନଲାଇନ ଠକେଇର ନୂଆ ନୂଆ କାହାଣୀ ଆପଣ ପ୍ରତିଦିନ ଶୁଣୁଛନ୍ତି । ହେଲେ ଆଜି ଏଭଳି ଠକେଇ ବିଷୟରେ ଆପଣଙ୍କୁ କହିବୁ ଯାହା ଆପଣଙ୍କୁ ତାଜୁବ କରିଦେବ । ଅନେକ ବଡ଼ ବଡ଼ ବ୍ୟବସାୟ ବିଶ୍ୱାସ ଆଧାରରେ ଚାଲେ । ବଡ଼ ବ୍ୟବସାୟୀ ବାକିରେ ଛୋଟ ବ୍ୟବସାୟୀଙ୍କୁ ଜିନିଷ ଦିଅନ୍ତି । ଛୋଟ ବ୍ୟବସାୟୀ ଗ୍ରାହକଙ୍କୁ ମଧ୍ୟ ମାସ ମାସ ଧରି ବାକିରେ ଜିନିଷ ଦେବାର ନଜିର ରହିଛି । ହେଲେ ଏଇ କାହାଣୀରେ ବ୍ୟବସାୟୀଙ୍କ ବିଶ୍ୱାସରେ ବିଷ ମିଶାଇ ଦେଇଛି କର୍ଣ୍ଣାଟକର ତାଜ ଫ୍ରୁଟ୍ସ ସଂସ୍ଥା । ଫୋନ କରି ଫଳ ଗାଡ଼ି ପଠାଇବ କହି ଠକି ନେଇଛି ଲକ୍ଷେ ୭୧ ହଜାର ଟଙ୍କା ।
ଭୁବନେଶ୍ୱର ଅଶୋକ ନଗରର ଫଳ ବ୍ୟବସାୟୀ ଅରୁଣ କୁମାର ସାହୁ ଏମିତି ନୂଆ ଧରଣ ଠକେଇର ଶିକାର ହୋଇଛନ୍ତି । କର୍ଣ୍ଣାଟକର ୟାଦିଗିରିରୁ ଏକ ଫଳ ଡିଲର ମହମ୍ମଦ ମୁବାରକ ଫୋନ କରି ଅରୁଣଙ୍କୁ ଭଲ କ୍ୱାଲିଟିର ଫଳ ଯୋଗାଇ ଦେବା ପାଇଁ କହିବା ସହ ବିଭିନ୍ନ ଫଳର ସାମ୍ପୁଲ ହ୍ୱାଟ୍ସଆପ ମାଧ୍ୟମରେ ପଠାଇଥିଲେ । ଦର ନିର୍ଦ୍ଧାରଣ ହେବା ପରେ ଅଗ୍ରିମ ୨୦ ହଜାର ସହ ଅର୍ଡର ଦେଇଥିଲେ ଅରୁଣ । ଏହା ପରେ ଗାଡ଼ିରେ ଫଳ ଲଦା ଗଲା ଓ ବିଲ କଟା ଗଲା ।
ପ୍ରତ୍ୟେକଟି ଅଗ୍ରଗତିର ଫୋଟୋ ସହ ଅରୁଣଙ୍କୁ ସୂଚନା ଦେଉଥିଲା ସଂସ୍ଥା । ଭିଡିଓ କଲ କରି ଟ୍ରକ ବାହାରିବା ମଧ୍ୟ ଦେଖାଇଥିଲା । ଟ୍ରକ ବ୍ରହ୍ମପୁରରରେ ପହଂଚି ସାରିଥିବା କହି ମଝିରେ ମଝିରେ ୫ଟି ପଯ୍ୟାୟରେ ପୁରା ଟଙ୍କା ନେଇଗଲା ସଂସ୍ଥା । ହେଲେ ପହଂଚିଲା ନାହିଁ ଗାଡ଼ି । ତେବେ ବଡ଼ ଧରଣର ଠକେଇର ଶିକାର ହୋଇଥିବା ଜାଣିବା ପରେ ଅରୁଣ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/3-7.jpg)