ଆଜିଠୁ ସାରା ରାଜଧାନୀ ପାଲଟିଯିବ ୱାଇଫାଇ ସହର: ଲୋକଙ୍କୁ ମିଳିବ ମାଗଣା ଇଣ୍ଟରନେଟ ସେବା

ସୋମବାର ମଧ୍ୟାହ୍ନରୁ ରାଜଧାନୀ ଭୁବନେଶ୍ବର ୱାଇଫାଇ ସହର ପାଲଟିଯିବ

470

କନକ ବ୍ୟୁରୋ : ସୋମବାର ମଧ୍ୟାହ୍ନରୁ ରାଜଧାନୀ ଭୁବନେଶ୍ବର ୱାଇଫାଇ ସହର ପାଲଟିଯିବ। ବିଏମସି ଅଞ୍ଚଳରେ ଲୋକଙ୍କୁ ମାଗଣାରେ ଇଣ୍ଟରନେଟ୍ ସୁବିଧା ମିଳିବ। ଏଥିପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ‘ଭୁବନେଶ୍ବର ମି ୱାଇଫାଇ’ ପ୍ରକଳ୍ପ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପୂର୍ବାହ୍ନରେ ଏହାକୁ ଉଦଘାଟନ କରିବେ।

 

ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ପୂରା ରାଜଧାନୀକୁ ୱାଇଫାଇ ସହର କରିବା ପାଇଁ ୫୦୦ଟି ୱାଇଫାଇ ସ୍ପଟ୍ ନିର୍ମାଣ ହେବ। ଏଥିରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ପ୍ରଥମ ଅଧଘଣ୍ଟା ମାଗଣା ଇଣ୍ଟରନେଟ୍ ସୁବିଧା ମିଳିବ। ଏହି ସମୟରେ ସେ ୨ଏମ୍ବିପିଏସ୍ ସ୍ପିଡରେ ୫୦ ଏମ୍ବି ଇଣ୍ଟରନେଟ୍ ଡାଟା ବ୍ୟବହାର କରିପାରିବେ। ଗୋଟିଏ ୱାଇଫାଇ ହଟସ୍ପୋଟ ଅଧୀନରେ ସର୍ବାଧିକ ୧୫୦ ଜଣ ଇଣ୍ଟରନେଟ୍ ବ୍ୟବହାର କରିପାରିବେ।

 

କିନ୍ତୁ ଏବେ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ୱାଇଫାଇ ସ୍ପଟ୍ ଲୋକାର୍ପିତ ହେବ। ଏଥିରେ କିଟ୍ ଛକରୁ ରାଜଭବନ, ଆଚାର୍ଯ୍ୟ ବିହାରରୁ ଏଜି ଛକ, ଶିଶୁଭବନରୁ ବାଣୀବିହାର, ନାଲକୋ ଛକରୁ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ୱାଇଫାଇ ସେବା ଉପଲବ୍ଧ ହେବ। ଏବେ ଦିନକୁ ମାଗଣାରେ ୨୫୦ ଏମ୍ବି ଇଣ୍ଟରନେଟ୍ ଉପଲବ୍ଧ ହେବ। ଅଧିକ ଇଣ୍ଟରନେଟ୍ ବ୍ୟବହାର କରିବାକୁ ଚାହୁଁଥିଲେ ଟପ୍ ଅପ୍ ରିଚାର୍ଜ କରିବାକୁ ପଡ଼ିବ।