କନକ ବ୍ୟୁରୋ: ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ପ୍ରବଳ ବର୍ଷାରେ ଭୁବନେଶ୍ୱରର ସ୍ଥିତି ବେହାଲ ହୋଇଛି । ତଳିଆ ଅଂଚଳରେ ପାଣି ଜମିଥିଲା ବେଳେ ଇସ୍କନ ମନ୍ଦିର ସାମ୍ନାରେ ଗାଡ଼ିମଟର ଅଟକି ରହିଥିଲା । ଏହାସହ ରାଜଧାନୀର ବିଭିନ୍ନ ସ୍ଥାନରେ ପାଣି ଜମିଥିବା ଯୋଗୁଁ ଲୋକେ ନାହିଁନଥିବା ହଇରାଣ ହୋଇଛନ୍ତି । ଏପଟେ ୩ ଘଂଟା ପାଇଁ ପୁରୀ, ନୟାଗଡ଼, ଖୋର୍ଦ୍ଧା ସହ ଭୁବନେଶ୍ୱର ସହର ପାଇଁ ବିଜୁଳି ଘଡ଼ ଘଡ଼ି ସହ ଚେତାବନୀ ଜାରି କରାଯାଇଛି । ଏହି ସବୁ ସହରକୁ ୩ ଘଂଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ଆଜି କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ବରଗଡ଼, ନୂଆପଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲି ଗଜପତି, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସେହିପରି ୨୮ ଓ ୨୯ ତାରିଖରେ ମଧ୍ୟ ପ୍ରବଳ ଓ ଅତିପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।