ଅସରାଏ ବର୍ଷାରେ ଭାସିଲା ଭୁବନେଶ୍ୱର । ଇସ୍କନ, ରସୁଲଗଡରେ ଭୟଙ୍କର ସ୍ଥିତି । ଜଳବନ୍ଦୀ ଅବସ୍ଥାରେ ହନ୍ତସନ୍ତ ରାଜଧାନୀବାସୀ

173

କନକ ବ୍ୟୁରୋ: ଦୀର୍ଘ ଦିନର ଅପେକ୍ଷା ପରେ ଏଇ ମାତ୍ର ବର୍ଷା ଆରମ୍ଭ ହୋଇଛି । ହେଲେ କିଛି ଘଣ୍ଟାର ବର୍ଷା ଯେମିତି ରାଜଧାନୀ ଭୁବନେଶ୍ୱରକୁ ଆଣ୍ଠେଇ ପକାଇଛି । ଚାରିଆଡେ ଜଳବନ୍ଦୀ ପରିସ୍ଥିିତି ଆଉ କୃତ୍ରିମ ବନ୍ୟାର ଭ୍ରମ ତିଆରି କରିିଛି । ଆଉ ପାଣିପାଗ ବିଭାଗ କହିଛି ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ତେଣୁ ରାଜଧାନୀ ବାସିନ୍ଦା କହୁଛନ୍ତି ଏବେଠୁ ଯଦି ଏମିତି ଅବସ୍ଥା, ଆଗକୁ କଣ ହେବ?

  • ଅସରାଏ ବର୍ଷାରେ ବେହାଲ୍
  • ଜଳବନ୍ଦୀ ଅବସ୍ଥାରେ ଜୀବନ
  • ବର୍ଷାରେ ଭାସିଲା ଭୁବନେଶ୍ୱର !

କିଛି ସମୟର ବର୍ଷାରେ ବେହାଲ୍ ଜୀବନ । କେଉଁଠି ପାଣିରେ ବସ୍ ଫସିଛି, ତ’ ଆଉ କେଉଁଠି ମଣିଷ ଜଳବନ୍ଦୀ ପାଲଟିଛି । ଡ୍ରେନ ପାଣି ନିଷ୍କାସନରେ ସମସ୍ୟା ଥିବାରୁ ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି । ଜାତୀୟ ରାଜପଥ କଡ଼ରେ ଥିବା ଇସ୍କନ୍ ସମ୍ମୁଖର ଅବସ୍ଥା ନକହିଲେ ଭଲ । ପାଣି ଜମି ରହିବା ଯୋଗୁଁ ଯାତାୟତ ଏକ ପ୍ରକାର ଠପ୍ । ଇସ୍କନ୍ ସାମ୍ନା ଭଳି ରସୁଲଗଡ଼ରେ ବି ସମାନ ସ୍ଥିତି । ସେହିଭଳି ରାଜଧାନୀର ବିଭିନ୍ନ ସ୍ଥାନରେ ପାଣି ଜମିଥିବା ଯୋଗୁଁ ଲୋକେ ନାହିଁନଥିବା ହଇରାଣ ହୋଇଛନ୍ତି ।

ଏପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ବର୍ଷା ପ୍ରଭାବରେ ଗଜପତି ଜିଲ୍ଲା ହରଭଙ୍ଗୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଯେଉଁଥିପାଇଁ ଲୋକଙ୍କୁ ନଦୀ ପାର ହେବାରେ ନାହିଁ ନଥିବା ସମସ୍ୟାର ସାମ୍ନା କରିବାକୁ ପଡ଼ିଛି । ବର୍ଷା ପରେ ହଠାତ୍ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଆଉ ନଦୀର ଅପର ପାଶ୍ୱର୍ରେ ଫସି ରହିଥିବା ଲୋକେ ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରୁଥିବାର ଦେଖିବାକୁ ମିିଳିଛି ।

  • ୫ ଦିନ ଯାଏଁ ଲାଗି ରହିବ ବର୍ଷା
  • ପ୍ରବଳ ବର୍ଷା ନେଇ ସତର୍କତା

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ପ୍ରବଳ ବର୍ଷା ସହ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ସେପଟେ ଉତ୍ତର ପଶ୍ଚମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟର ସ୍ଥିତି ରହିବ । ତେବେ ରାଜ୍ୟର ୯ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ନୂଆପଡ଼ା, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି, ବଲାଙ୍ଗୀର ଓ ନବରଙ୍ଗପୁର । ସେହିପରି ଆଗକୁ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି । ବିଶେଷ କରି ୨୭ ଓ ୨୮ ତାରିଖରେ ମଧ୍ୟ ପ୍ରବଳ ଓ ଅତିପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।