ଭୁବନେଶ୍ୱର ପ୍ରଥମ ମିଡ଼ିଆ କପ୍ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା । ୨୧ଟି ଯୋଡ଼ିଙ୍କୁ ପଛରେ ପକାଇ ଚମକିଲେ ଲେଲିନ୍-ଲିଙ୍ଗରାଜ, ହାତେଇଲେ ଚାମ୍ପିୟନ ଟାଇଟଲ୍ ।

128

କନକ ବ୍ୟୁରୋ: ଭୁବନେଶ୍ୱର ଜିଲ୍ଲା ବ୍ୟାଡମିଣ୍ଟନ୍ ସଂଘ (ବିଡିବିଏ) ପକ୍ଷରୁ ଆୟୋଜିତ ପ୍ରଥମ ଭୁବନେଶ୍ୱର ମିଡ଼ିଆ କପ୍‌ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତାରେ ଲେନିନ ମଲ୍ଲିକ ଓ ଲିଙ୍ଗରାଜ ଲେଙ୍କା ବିଜୟୀ ଯୋଡ଼ିର ଆଖ୍ୟା ଅର୍ଜନ କରିଛନ୍ତି । ଗତକାଲି ୟୁନିଟ-୧ ସ୍ଥିତ ଇଣ୍ଡୋର ହଲରେ ଖେଳାଯାଇଥିବା ଫାଇନାଲରେ ସିଏସ୍‌ ବାବୁ ଓ ପିକେ ପାତ୍ରଙ୍କୁ ୨-୦ ସେଟରେ ପରାସ୍ତ କରି ଉଭୟ ପ୍ରତିଯୋଗିତାର ପ୍ରଥମ ବିଜେତା ହୋଇଛନ୍ତି ।

ଏହି ପ୍ରତିଯୋଗିତାରେ ୪୨ ଜଣ ଗଣମାଧ୍ୟମ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ବରିଷ୍ଠ ସାମ୍ବାଦିକ କେ. ରବି ଓ ମନୋରଂଜନ ମିଶ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ୨୧ଟି ବ୍ୟାଡମିଣ୍ଟନ୍ ଯୋଡ଼ି ଭିତରୁ ପ୍ରଥମେ ସେମିଫାଇନାଲିଷ୍ଟ ଓ ସେଥିରୁ ଫାଇନାଲିଷ୍ଟ ବଛା ଯାଇଥିଲା । ସେମିଫାଇନାଲରେ ଲେନିନ-ଲିଙ୍ଗରାଜ ଯୋଡ଼ି ବିକେ ସାହୁ-ସିକେ ନାୟକଙ୍କୁ ପରାସ୍ତ କରିଥିବା ବେଳେ ସିଏସ ଦାସ ଓ ନିର୍ଦ୍ଦେଶ କୁମାରଙ୍କୁ ପରାସ୍ତ କରି ସିଏସ ବାବୁ ଓ ପିକେ ପାତ୍ରଙ୍କ ଯୋଡ଼ି ଫାଇନାଲକୁ ଯାଇଥିଲେ । ‌ଶେଷରେ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରାଯିବା ସହ ମ୍ୟାଚ୍‌ରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ମୋମେଣ୍ଟୋ ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ, ଭୁବନେଶ୍ୱର ଜିଲ୍ଲା ବ୍ୟାଡମିଣ୍ଟନ ସଂଘର ସଭାପତି ଚଣ୍ଡୀ ପ୍ରସାଦ ଦାସ, ସମ୍ପାଦକ ସନ୍ତୋଷ ଚୌଧୁରୀ, ବିବେକାନନ୍ଦ ମିଶ୍ର ଓ ବିକ୍ରମ କେଶରୀ ମହାନ୍ତି ଉପସ୍ଥିତ ଥିଲେ। ମନୋଜ କୁମାର, ରଶ୍ମୀକାନ୍ତ ଭୂୟାଁ, ଡି ଶୁଭକାନ୍ତ ମହାନ୍ତି, ନଇମୁଦ୍ଦିନ ଖାନ, ଜ୍ଞାନ ଚାନ୍ଦ, ଅଜିତ ମହାନ୍ତି ଓ ରଶ୍ମି ମ୍ୟାଚ୍‌ ପରିଚାଳନା କରିଥିଲେ। ଅନୁଷ୍ଠାନର ଉପସଭାପତି ଶକ୍ତିରଂଜନ ସ୍ୱାଇଁ, ଯୁଗ୍ମ ସମ୍ପାଦକ ଦୀପ୍ତି ପ୍ରକାଶ ସୁବୁଦ୍ଧି, କୋଷାଧ୍ୟକ୍ଷ ଶ୍ରୀମନ୍ତ ମିଶ୍ର, ସତୀର୍ଥ ନାୟକ ଓ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ପ୍ରମୁଖ ପ୍ରତିଯୋଗିତାର ସଫଳ ଆୟୋଜନରେ ପ୍ରମୁଖ ଭୂମିକା ତୁଲାଇଥିଲେ ।