ଗୁହାରି ଶୁଣିଲେ, ଆତ୍ମନିର୍ଭର ପାଇଁ ଜାଗା ବି ଦେଲେ ସରକାର । ହେଲେ ଘୋଷଣାକୁ ୧୨ ବର୍ଷ ବିତିଲାଣି କିନ୍ତୁ ଆବଂଟିତ ଜାଗା ଖଣ୍ଡକ ପାଇଁ ବାର ଦୁଆର ହେଉଛନ୍ତି ଦିବ୍ୟାଙ୍ଗ

152

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ । ସରକାର ଗୁହାରି ଶୁଣିଲେ । ଆତ୍ମନିର୍ଭର ହେବାକୁ କପିଳପ୍ରସାଦ ଅଂଚଳରେ ଓମଫେଡ୍ ବୁଥ୍ କରିବାକୁ ଜାଗା ଖଣ୍ଡିଏ ଦେବାକୁ ଘୋଷଣା ବି କଲେ । ତାଙ୍କ ନାମରେ ଜାଗା ଆବଂଟିତ କରିବାକୁ ସାଧାରଣ ପ୍ରଶାସନ ବିଭାଗରୁ ଚିଠି ବି ହେଲା । ହେଲେ ଏଯାଏଁ ଏହାର ଦଖଲ ମିଳିଲାନି । ଏହା ମଧ୍ୟରେ ପ୍ରାୟ ୧୨ ବର୍ଷ ବିତିଲାଣି , କିନ୍ତୁ ଓମଫେଡ୍ ବୁଥ୍ ପାଇଁ ଆବଟିଂତ ଜାଗା ଖଣ୍ଡକ ନପାଇ ଚିନ୍ତାରେ ପଡିଛନ୍ତି ରାଜଧାନୀର ଦିବ୍ୟାଙ୍ଗ ବ୍ୟକ୍ତି ପି ରାଜେନ୍ଦ୍ର ପାତ୍ର । ଏହି ଜାଗା ଖଣ୍ଡକ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରୁ ଆରମ୍ଭ କରି ବିଏମସି କମିଶନର, ମେୟରଙ୍କ ନିକଟକୁ ଦୌଡି ଦୌଡି ଥକି ଗଲେଣି ।

ରାଜେନ୍ଦ୍ରଙ୍କ ବୟସ ଏବେ ପ୍ରାୟ ୫୭ ବର୍ଷ । ଅବିବାହିତ ତା ସହିତ ଦିବ୍ୟାଙ୍ଗ ମଧ୍ୟ । ଆଶା ରହିଛି ସରକାର ଓମଫେଡ୍ ବୁଥ୍ ପାଇଁ ଜାଗା ଖଣ୍ଡକର ଦଖଲ ଦେଲେ ଆତ୍ମନିର୍ଭର ହୋଇ ଚଳିବେ । ସରକାର ଜାଗା ଆବଂଟିତ କରିଥିଲେ ମଧ୍ୟ ବିଏମସି ଏହାର ଦଖଲ ଦେଉନି । ଅଫିସରଙ୍କ ପାଖକୁ ଦୌଡିଲେ କେବଳ ସମୟ ଗଡାଇ ଚାଲିଛନ୍ତି । ଆଉ ଏହାରି ଭିତରେ ବିଏମସି ନିକଟରେ ଆବଂଟିତ ଜାଗାକୁ ନେଇ କାଗଜପତ୍ର  ବି ହଜି ଗଲାଣି ନାହିଁ । ସେପଟେ ବୟସର ଅପରାହ୍ନରେ ଥିବା ପି ରାଜେନ୍ଦ୍ର ସରକାରଙ୍କୁ ଓମଫେଡ୍ ବୁଥ୍ କରିବା ପାଇଁ ଜାଗାର ଦଖଲ ଦେବାକୁ ଗୁହାରି କରିଛନ୍ତି ।