ପ୍ରିୟଙ୍କା ମୃତ୍ୟୁ ମାମଲାରେ ପୁଲିସ ପାଇଲା ପ୍ରମାଣ : ଜଗନ୍ନାଥ କରିଛି ହତ୍ୟା, ଘଟଣାର ୪ଦିନ ଆଗରୁ ହତ୍ୟା ପାଇଁ କରିଥିଲା ପ୍ଲାନ

3,108

କନକ ବ୍ୟୁରୋ : ଭୁବନେଶ୍ୱର ପ୍ରିୟଙ୍କା ମୃତ୍ୟୁ ଘଟଣା ଉପରୁ ପରଦା ହଟିଛି । ଜଗନ୍ନାଥ ପ୍ରଧାନ ହିଁ ହତ୍ୟାକାରୀ ବୋଲି ଆଜି କହିଛି ପୁଲିସ । କେବଳ ସେତିକି ନୁହେଁ, ‌କଲେଜ ବେଳରୁ ପ୍ରେମ କରୁଥିବା ରିଙ୍କିଙ୍କୁ ସେ କାହିଁକି ହତ୍ୟା କଲା ଏବଂ କେମିତି ହତ୍ୟାକାଣ୍ଡ ଭିଆଇଲା, ତାହା ଗୋଟିଗୋଟି କରି ପୁଲିସ ଆଗରେ ପ୍ରକାଶ କରିଛି । ହତ୍ୟାକାଣ୍ଡର ୪ଦିନ ପୂର୍ବରୁ ଜଗନ୍ନାଥ ରିଙ୍କିକୁ ହତ୍ୟା କରିବା ପାଇଁ ସ୍ଥିର କରିସାରିଥିଲା । ଆଉ ଏଥିପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ କରିଥିଲା । ଦୋକାନରୁ ଧାରୁଆ ଛୁରି, ବିଷ ବୋତଲ, ଥଣ୍ଡାପାନୀୟ, ସିନ୍ଦୂର, ଫରୁଆ ଏପରିକି ଛୁଆ ପାଇଁ ଚକୋଲେଟ୍ କିଣିଥିଲା । ଏହା ସହିତ ହତ୍ୟା ପରେ ନିଜ ମଧ୍ୟ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିବାରୁ ଜଗନ୍ନାଥ ଏକ ଚିଠି ୪ଦିନ ପୂର୍ବରୁ ଲେଖି ରଖିଥିବା ପୁଲିସ ଆଗରେ ପ୍ରକ‌ାଶ କରିଛି । ଆଜି ଏମ୍ସରୁ ସୁସ୍ଥ ହୋ‌ଇ ଡିସ୍‌ଚାର୍ଜ ହେବା ପରେ ଜଗନ୍ନାଥର ଏଭଳି ଚାଞ୍ଚଲ୍ୟକର ସ୍ବୀକ‌ାରୋକ୍ତି ଯୋଗୁଁ ସବୁକିଛି ସ୍ପଷ୍ଟ ହୋଇଯିବାରୁ ପୁଲିସ ତା’କୁ ଗିରଫ କରି ‌କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାକୁ ତା’କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।

ପୁଲିସର ଜେରାବେଳେ ଜଗନ୍ନାଥ ଜୁଲାଇ ୫ ତାରିଖ ଦିନ ହତ୍ୟାକାଣ୍ଡ ପୂର୍ବ ଓ ପରର ସମସ୍ତ ଘଟଣା ବର୍ଣ୍ଣନା କରିଥିଲା। ଜଗନ୍ନାଥ କହିଥିଲା; ସେଦିନ ସକାଳ ପ୍ରାୟ ୯ଟା ବେଳେ ରିଙ୍କିଙ୍କ ସ୍ବାମୀ ଅଫିସ୍ ବାହାରିଯିବା ପରେ ପରେ ସେ ଭୀମଟାଙ୍ଗି ଲେନ୍‌-୧ସ୍ଥିତ ତାଙ୍କ ଘରେ ପହଞ୍ଚିଥିଲା । ସେହି ସମୟରେ ରିଙ୍କି ଓ ତାଙ୍କ ପୁଅ ସାଙ୍ଗରେ ଥିଲେ । ଜଗନ୍ନାଥ ଉଭୟଙ୍କ ସହ ମୋବାଇଲ୍‌ରେ ଏକ ସେଲ୍‌ଫି ନେଇଥିଲା । ଏହା ପରେ ସେ ରିଙ୍କିଙ୍କୁ ଘର ଛାଡ଼ି ତା’ ସହ ଅନ୍ୟତ୍ର ପଳାଇଯିବାକୁ ବୁଝାଇଥିଲା । ମାତ୍ର ରିଙ୍କି ତା’ ସହ ଯିବାକୁ ଅରାଜି ହେବାରୁ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଝଗଡ଼ା ବଢ଼ିଥିଲା । ଏତିକିବେଳେ ରିଙ୍କି ରହୁଥିବା ଭଡ଼ାଘରର ମାଲିକ ତାଙ୍କ ଘରକୁ ଆସିଥିଲେ । କବାଟ ଠକ୍ ଠକ୍ ଶବ୍ଦ ଶୁଣି ଜଗନ୍ନାଥ ରିଙ୍କିଙ୍କ ସ୍ବାମୀ ଫେରିଆସିଥିବା ଭୟରେ ଦୌଡ଼ି ଯାଇ ଘର ବାଥରୁମ୍‌କୁ ଯାଇ ଲୁଚିଯାଇଥିଲା । ଜଗନ୍ନାଥଙ୍କ ଉପସ୍ଥିତି ସଂପର୍କ‌‌ରେ କିଛି ଟେର୍ ପାଇ ନ ଥିବା ଘର ମାଲିକ ରିଙ୍କିଙ୍କ ପରିବାର ପାଇଁ ଆଣିଥିବା ଦହିବରା ଦେବା ସହ ତାଙ୍କ ୩ବର୍ଷର ପୁଅକୁ ଖେଳାଇବା ତାଙ୍କ ଘରକୁ ନେଇଯାଇଥିଲେ ।

ଘର ମାଲିକ ଚାଲିଯିବା ପରେ ଜଗନ୍ନାଥ ବାଥରୁମ୍‌ରୁ ବାହାରି ପୁଣି ରିଙ୍କିଙ୍କ ସହ ଝଗଡ଼ା କରିଥିଲା ଏବଂ ଆଉ କାଳବିଳମ୍ବ ନକରି ରିଙ୍କିଙ୍କୁ ହତ୍ୟା କରିବା ପାଇଁ ମନରେ ୪ ଦିନ ପୂର୍ବରୁ ରଚିଥିବା ଷଡ଼୍‌ଯନ୍ତ୍ରକୁ ବାସ୍ତବ ରୂପ ଦେଇଥିଲା । ପ୍ରଥମେ ସେ ସାଙ୍ଗରେ ଆଣିଥିବା ଛୁରିରେ ଦାଣ୍ଡଘରେ ରିଙ୍କିର ଗଳାକାଟି ହତ୍ୟା କରିବା ପରେ ତାଙ୍କୁ ଘୋଷାରି ଘୋଷାରି ଭିତର ଘରକୁ ନେଇଥିଲା । ସେଠାରେ ରିଙ୍କିଙ୍କ ମଥାରେ ସିନ୍ଦୂର ଦେବା ସହ ତାଙ୍କ ଶବ ଫଟୋ ଉଠାଇ ହ୍ବାଟ୍‌ସଆପ୍‌ରେ ତାଙ୍କ ସ୍ବାମୀ ପାଖକୁ ପଠାଇଥିଲା । ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ଏହି ଜଘନ୍ୟ କାଣ୍ଡ ଭିଆଇବା ପରେ ଜଗନ୍ନାଥ ନିଜ ପାରିବାରିକ ହ୍ବାଟ୍‌ସଆପ୍ ଗ୍ରୁପ୍‌ରେ ରିଙ୍କିକୁ ନେଇ ତ‌ା’ ମନରେ ଥିବା ଆକ୍ରୋଶ ଏବଂ ରିଙ୍କିର ହତ୍ୟା ପରେ ନିଜେ ଆତ୍ମହତ୍ୟା କରିବାକୁ ଯାଉଛି ବୋଲି ମେସେଜ୍ ପଠାଇଥିଲା । ଏହାପରେ ସେ ସାଙ୍ଗରେ ଆଣିଥିବା ଥଣ୍ଡାପାନୀୟରେ ବିଷ ମିଶାଇ ପିଇବା ସହ ନିଜ ହାତକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା ।