ଶବ ସହ ଷଡଯନ୍ତ୍ର । ଭୁବନେଶ୍ୱରରେ ହତ୍ୟା କରିବା ପରେ ଗଞ୍ଜାମରେ ଫିଙ୍ଗାଯାଇଥିଲା ମୃତଦେହ । ପୋଲିସକୁ ଦ୍ୱନ୍ଦରେ ପକାଇବା ପାଇଁ ଯୋଜନା କରିଥିଲେ ସ୍ୱାମୀ-ସ୍ତ୍ରୀ ।

406

କନକ ବ୍ୟୁରୋ : ଶବ ସହ ଷଡଯନ୍ତ୍ର । ଭୁବନେଶ୍ୱରରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଷଡଯନ୍ତ୍ର କହିଥିଲେ ହତ୍ୟାକାରୀ ସ୍ୱାମୀ ସ୍ତ୍ରୀ । ଗଂଜାମରେ ଫିଙ୍ଗି ଦେଇଥିଲେ ମୃତଦେହ । ଜଣେ ଘରୋଇ ସହାୟିକାଙ୍କୁ ଭୁବନେଶ୍ୱରରେ ହତ୍ୟା କରାଯାଇଥିଲା । ଆଉ ପୋଲିସକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ମୃତଦେହକୁ ଭୁବନେଶ୍ୱର ବାହାରେ ଗଂଜାମରେ ଫୋପାଡି ଦିଆଯାଇଥିଲା । ପୋଲିସ ଏହି ଘଟଣାର ହତ୍ୟାକାରୀଙ୍କୁ ଗିରଫ କରି ହତ୍ୟାକାଣ୍ଡ ପଛର ରହସ୍ୟ ଉନ୍ମୋଚନ କରିଛି ।

ପୋଲିସ ଗିରଫରେ ଥିବା ଏହି ଦମ୍ପତି ହେଉଛନ୍ତି ଜଣେ ଘରୋଇ ସହାୟିକାର ହତ୍ୟାକାରୀ । ଏହି ଦମ୍ପତିଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଘରେ କାମ କରୁଥିବା ଘରୋଇ ସହାୟିକାଙ୍କୁ ଜୀବନରେ ମାରି ଦେଇଛନ୍ତି ।

ଭୁବନେଶ୍ୱରରେ ହତ୍ୟା, ଗଞ୍ଜାମରେ ଫିଙ୍ଗିଲେ ମୃତଦେହ । ପୋଲିସର ସୂଚନା ଅନୁସାରେ, ଘରୋଇ ସହାୟିକାଙ୍କୁ ଦମ୍ପତି ବାରମ୍ବାର ନିର୍ଯ୍ୟାତନା ଦେଇଆସୁଥିଲେ । ଡିିସେମ୍ବର ୨ ତାରିଖରେ ଭୁବନେଶ୍ୱରର ଭରତପୁରରେ ଏହି ଘରୋଇ ସହାୟିକାଙ୍କ ସହିତ କୌଣସି କାରଣକୁ ନେଇ ଦମ୍ପତିଙ୍କର ପାଟିତୁଣ୍ଡ ହୋଇଥିଲା । ପାଟିତୁଣ୍ଡ ଏମିତି ସ୍ତରରେ ପହଞ୍ଚିଥିଲା ଯେ ଦମ୍ପତି ସେହି ଘରୋଇ ସହାୟିକାଙ୍କୁ ହତ୍ୟା କରିଦେଇଥିଲେ । ଘଟଣାକୁ ରଫାଦଫା କରିବା ପାଇଁ ମୃତଦେହକୁ ଏକ ଓଲା କାରରେ ନେଇ ଆସିଥିଲେ ଗଞ୍ଜାମ । ଜିଲ୍ଲାର ଜଗନ୍ନାଥପ୍ରସାଦପୁରରେ ମୃତଦେହକୁ ଫୋପାଡି ଦେଇଥିଲେ ଦମ୍ପତି ।

ତେବେ ଏହି କାହାଣୀର ଆଉ ଗୋଟିଏ ଦିଗରେ ମଧ୍ୟ ପୋଲିସ ତଦନ୍ତ କରୁଛି । ମୃତକ ଜଣଙ୍କ ଦେହଜୀବୀ ଏବଂ ହତ୍ୟାକାରୀ ଏହି ଯୁବତୀଙ୍କୁ ଡକାଇ ହତ୍ୟା କରିଛି ବୋଲି ଅଭିଯୋଗ ମଧ୍ୟ ଆସୁଛି । ତେଣୁ ଏହି ଘଟଣାରେ ଆଉ କିଛି ଲୋକଙ୍କ ସମ୍ପୃକ୍ତି ସନ୍ଦେହ କରି ସେମାନଙ୍କୁ ଧରିବା ପାଇଁ ତନାଘନା ଚଲାଇଛି ପୋଲିସ ।