ଭୁବନେଶ୍ୱର-ମଧ୍ୟକୁ ନେଇ ବଢୁଛି ସସପେନ୍ସ । ଶକ୍ତି ପ୍ରଦର୍ଶନ କଲେ ଅନନ୍ତ, ଅମରେଶ । କିଏ ପାଇବ ଟିକେଟ୍?

508

କନକ ବ୍ୟୁରୋ: ଭୁବନେଶ୍ୱରର ୪ ଆସନରୁ ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା ସରିଛି । ହେଲେ ଭୁବନେଶ୍ୱର ମଧ୍ୟ ଆସନକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି । ବିଧାୟକ ଅନନ୍ତ ଜେନା ନା ଆଶାୟୀ ଅମରେଶ ଜେନା କିଏ ପାଇବେ ଟିକେଟ, ସେ ଚର୍ଚ୍ଚା ଚାଲିଛି । ଉଭୟ କିନ୍ତୁ ନିଜ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି ।

  • ଭୁବନେଶ୍ୱର-ମଧ୍ୟକୁ ନେଇ ବଢୁଛି ସସପେନ୍ସ
  • ଶକ୍ତି ପ୍ରଦର୍ଶନ କଲେ ଅନନ୍ତ, ଅମରେଶ

ଭୁବନେଶ୍ୱର ମଧ୍ୟ ବିଧାନସଭା ଆସନରେ ଚାଲିଛି ପତିଆରାର ପ୍ରଦର୍ଶନ । ବିଧାୟକ ଅନନ୍ତ ଜେନା ଓ ତାଙ୍କ ବିରୋଧୀ ଗୋଷ୍ଠୀ ଅମରେଶ ଜେନା ଟିକେଟ ଘୋଷଣା ପର୍ବରୁ ନିଜ ନିଜ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି । ଲକ୍ଷ୍ମୀସାଗରରେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ସମ୍ବର୍ଦ୍ଧନା ଦେବା ବାହାନାରେ ଏକାଠି ହୋଇଛନ୍ତି ଅନନ୍ତଙ୍କ ସମର୍ଥକ । ବୈଠକରେ କିଛି କର୍ପୋରେଟର ଓ ଶତାଧିକ ସମର୍ଥକ ସାମିଲ ହୋଇ ଅନନ୍ତଙ୍କୁ ଟିକେଟ ଦେବା ସପକ୍ଷରେ ଯୁକ୍ତି ବାଢିଛନ୍ତି । ତେବେ ଅନନ୍ତ କହିଛନ୍ତି,ମୁଖ୍ୟମନ୍ତ୍ରୀ ଟିକେଟକୁ ନେଇ ଯାହା ନିଷ୍ପତ୍ତି ନେବେ, ତାକୁ ସେ ଗ୍ରହଣ କରିବେ ।

  • ଶକ୍ତି ଦେଖାଇଲେ ଅମରେଶ ଜେନା
  • ଅନନ୍ତଙ୍କ ମେଳିର କିଛି ଦୂରରେ ସମାବେଶ

ଲକ୍ଷ୍ମୀସାଗରରେ ଅନନ୍ତଙ୍କ ସମାବେଶ ଚାଲିଥିବାବେଳେ, ତାର ମାତ୍ର ଅଳ୍ପଦୂର ଷ୍ଟେସନ ବଜାରରେ ଶହ ଶହ କର୍ମୀଙ୍କୁ ନେଇ ସମାବେଶ କରିଛନ୍ତି ଆଶାୟୀ ପ୍ରାର୍ଥୀ ଅମରେଶ ଜେନା ଓରଫ ବାଇଁଆ । କର୍ମୀଙ୍କୁ ଏକାଠି କରି ସେ ନିଜର ଦମ ଦେଖାଇଛନ୍ତି । ପୂର୍ବରୁ ନୟାପଲ୍ଲୀରେ ସମ୍ପର୍କ ଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଥିଲେ ଅମରେଶ । କୁହାଯାଉଛି, ଅମରେଶ ଜେନା ଓ ରୁଦ୍ର ସାମନ୍ତରାୟଙ୍କ ଭଳି ନେତା ଅନନ୍ତ ପ୍ରାର୍ଥୀତ୍ୱକୁ ଜୋରଦାର ବିରୋଧ କରୁଛନ୍ତି, ଯାହାକୁ ନେଇ ଅକଳରେ ପଡିଛି ବିଜେଡି ।

ଭୁବନେଶ୍ୱରରେ ୪ ଆସନ ମଧ୍ୟରୁ ୩ ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଲାଣି । ନବୀନ ନିବାସରେ ବୈଠକ ପରେ ବୈଠକ ହେଉଛି । କିନ୍ତୁ ଭୁବନେଶ୍ୱର-ମଧ୍ୟ ଅଙ୍କ ଛିଡୁନି । ଦୁଇ ଦୁଇ ଥରର ବିଧାୟକ ଅନନ୍ତଙ୍କ ଟିକେଟକୁ ନେଇ ସସପେନ୍ସ ବଢୁଛି । ତେବେ ବିଜେଡି ଏହି ଦୁଇ ନେତାଙ୍କ ମଧ୍ୟକୁ କାହାକୁ ଟିକେଟ ଦେବ ନା ଦୁଇ ନେତାଙ୍କ କଳିରେ ତୃତୀୟ ପକ୍ଷ ବାଜି ମାରିନେବେ. ତା ଉପରେ ସାରା ରାଜ୍ୟର ନଜର ରହିଛି ।