କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ହତାଦର ଅଭିଯୋଗ : ୬ଘଣ୍ଟା ଧରି ଧାଡିରେ ଠିଆ ହେବା ପରେ ବି ମହିଳା ନିରାଶ

ହାଡ ଭାଙ୍ଗିଯାଇଥିବା ମହିଳାଙ୍କ ପ୍ଲାଷ୍ଟର କରିଲେନି ଡାକ୍ତର

236

କନକ ବ୍ୟୁରୋ : ରାଜଧାନୀର କ୍ୟାପିଟାଲ ହସ୍ପିଟାଲର ରୋଗୀ ସେବାର ଅସଲ ଚିତ୍ର । ଗତାକାଲି ରାତିରେ ରାଜଧାନୀ ଲକ୍ଷ୍ମୀସାଗର ଅଂଚଳରେ ଘରେ ଖସି ପଡିବାରୁ ଜଣେ ମହିଳାଙ୍କ ହାତ ଭାଙ୍ଗି ଯାଇଥିଲା । ତୁରନ୍ତ ଚିକିତ୍ସା ପାଇଁ ଦୌଡି ଆସିଥିଲେ କ୍ୟାପିଟାଲ ହସ୍ପିଟାଲ । ରାତିରେ ଡାକ୍ତର ନଥିବା କାରଣରୁ ଫଲସ୍ ପ୍ଲାଷ୍ଟର କରି ଫେରାଇ ଦେଇଥିଲା ଡାକ୍ତରଖାନା । ଆଜି ସକାଳୁ ପୁଣି ଥରେ ହସ୍ପିଟାଲକୁ ଯାଇଥିଲେ ମୀନତି ସାହୁ ।

ସକାଳ ୭ଟାରୁ ଧାଡିରେ ଠିଆ ହୋଇ ଟିକଟ କରି ଅପେକ୍ଷା କରିଥିଲେ । ଦିନ ୧୨ଟାରେ ଡାକ୍ତରଙ୍କ ସହ ଦେଖା ହେଲା । କିନ୍ତୁ ହାତରେ ଚୁଡି ଥିବାରୁ ପ୍ଲାଷ୍ଟର ହୋଇପାରିବ ନାହିଁ ବୋଲି କହି ଫେରାଇ ଦେଇଥିଲେ ଡାକ୍ତର ବାବୁ । ଏହି ଘଟଣାରେ ସକାଳ ୭ଟାରୁ ଅପରାହ୍ନ ଯାଏଁ ଅପେକ୍ଷା କରିଥିବା ମୀନତି କ୍ୟାପିଟାଲ ହସ୍ପିଟାଲରୁ ଚିକିତ୍ସା ଟିକିଏ ପାଇ ପାରିଲେ ନାହିଁ । ଶେଷରେ ଏନେଇ ଡାକ୍ତରଖାନାରେ ଡାକ୍ତରଙ୍କୁ ନେହୁରା ହେବା ପରେ ରୋଗୀଙ୍କ ଉପରେ ରାଗି ପାଚି ଲାଲ ହୋଇଯାଇଥିଲେ ଡାକ୍ତର ।

ପ୍ରଶ୍ନ ଉଠୁଛି ରାଜଧାନୀର ସରକାରୀ ଡାକ୍ତରଖାନାରେ ଯଦି ଜଣେ ହାତ ଭଙ୍ଗା ରୋଗୀଙ୍କ ଚିକିତ୍ସା ହୋଇପାରୁନି, ତେବେ ଏ ସାଧାରଣ ରୋଗୀ ଟିଏ ଯିବ କୁଆଡେ । ସେପଟେ ଘଟଣାରେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ସୁପରିନଟେଣ୍ଡେଟ୍ ।

Comments are closed.