ଭୁବନେଶ୍ୱର ଉପକଣ୍ଠରେ ଅଭାବନୀୟ ଘଟଣା । ବ୍ରାଉନସୁଗାର ନେଉଥିବା ବେଳେ ୧୪ ବର୍ଷର ବାଳକକୁ ଦେଖି ତାତି ଉଠିଲେ ନିଶାଡ଼ି : ଟଙ୍କା ଦାବି କରି ବିଫଳ ହେବାରୁ ଗୋଡାଇ ଗୋଡାଇ ହାଣିଲେ, ହସପିଟାଲରେ ଚାଲିଗଲା ଜୀବନ

589

କନକ ବ୍ୟୁରୋ : ଇଏ ଏକ ଏମିତି ଛାତିଥରା ଘଟଣା ଯାହା ଶୁଣିଲେ ଆପଣ ଚମକି ପଡିବେ । ଖଣ୍ଡଗିରି ଭରତପୁର ଅଂଚଳର ୧୪ବର୍ଷିୟ ନାବାଳକ ଅଶ୍ୱିନି ପାଢୀ ଯାଉଥିଲେ ରାସନ ସାମଗ୍ରୀ ଆଣିବା ପାଇଁ । ଅଶ୍ୱିନି ଘରୁ ବାହାରି ଯିବା ସମୟରେ ରାସ୍ତାର ଏହି ସ୍ଥାନରେ ୧୦ ଜଣ ଯୁବକ ଏକାଠି ବସି ନିଶା ସେବନ କରୁଥିଲେ । ଅଶ୍ୱିନିଙ୍କୁ ଏକୁଟିଆ ପାଇଁ ତାଙ୍କ ଠାରୁ ଟଙ୍କା ଛଡାଇବାକୁ ଉଦ୍ୟମ କରିଥିଲେ । କିଛି ସମୟର ଯୁକ୍ତିତର୍କ ଭିତରେ ଏହି ନିଶାଖୋରମାନେ ଏକ ଭୁଜାଲିରେ ଅଶ୍ୱିନିଙ୍କୁ ଆକ୍ରମଣ କରିଥିଲେ । ଅଶ୍ୱିନି ଜୀବନ ବଂଚାଇବା ପାଇଁ ଦୌଡୁଥିଲେ ଆଉ ଦୁବୃର୍ତମାନେ ଗୋଡାଇ ଗୋଡାଇ ହାଣୁଥିଲେ । ଆଉ ରକ୍ତଜୁଡୁବୁଡୁ ଅବସ୍ଥାରେ ଗାଁ ଆଡକୁ ଦୌଡିଥିଲେ ଅଶ୍ୱିନି ।

ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଅଶ୍ୱିନିଙ୍କ ମୃତ୍ୟୁ ହୋଇଯାଇଛି । ପୁଅର ଏପରି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର ଲୋକେ । ଦୋଷୀଙ୍କୁ ତୁରନ୍ତ ଧରିବା ପାଇଁ ଧାରଣାକୁ ଓହ୍ଲାଇ ଆସିଛନ୍ତି ଗ୍ରାମବାସୀ । ତେବେ ପୋଲିସ ଏହି ଘଟଣାରେ ୨ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ତୁରନ୍ତ ସେମାନଙ୍କୁ ବନ୍ଧାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଧାରଣାରୁ ଉଠିଛନ୍ତି । ଏବେ ଅପେକ୍ଷା ପୋଲିସ କେବେ ସେହି ଦୁବୃର୍ତଙ୍କ ପାଖରେ ପହଂଚୁଛି ।