ପରିବାର ଚିହ୍ନିଲେ ପୁଅର ମୃତଦେହ । ମୁକୁଳା ଡ୍ରେନରେ ଭାସିଯାଇ ପ୍ରାଣ ହରାଇଛନ୍ତି ଜ୍ୟୋତିପ୍ରକାଶ

223

କନକ ବ୍ୟୁରୋ : ଏମ୍ସରେ ଜ୍ୟୋତିପ୍ରକାଶଙ୍କ ମୃତଦେହ ଚିହ୍ନିଲେ ପରିବାର । ମୁକୁଳା ଡ୍ରେନରେ ଭାସିଯାଇ ପ୍ରାଣ ହରାଇଛନ୍ତି ଜ୍ୟୋତିପ୍ରକାଶ । ମୃତଦେହକୁ ଦେଖି ହସ୍ପିଟାଲରେ ସମ୍ପର୍କୀୟ ଅଚେତ ହୋଇପଡୁଛନ୍ତି । ଜ୍ୟୋତିପ୍ରକାଶଙ୍କ ମୃତଦେହକୁ ତାଙ୍କ ମାଉସୀ ଚିହ୍ନିଛନ୍ତି । ଡ୍ରେନ୍ ନିକଟ ବୁଦା ମୂଳରୁ ମୃତଦେହ ମିଳିଥିଲା । ମାଉସୀଙ୍କ କହିବାନୁସାରେ, ଡ୍ରେନରେ ସ୍ଲାବ ପଡିଥିଲେ ହୁଏତଃ ପିଲାଟିର ଜୀବନ ବଞ୍ଚି ଯାଇଥାନ୍ତା । ବେପରୁଆ କାମ ଯୋଗୁଁ ଆଜି ରାଜା ଆମ ଗ୍ରହଣରେ ନାହିଁ । ରାଜାଙ୍କ ମାଆ ଏ ଘଟଣାକୁ ଏବେ ବି ଗ୍ରହଣ କରିପାରୁନାହାନ୍ତି । ମିନିଟରେ ଚେତାଶୂନ୍ୟ ହୋଇପଡୁଛି । ପରିବାରରେ ଶକ୍ତ ଆଘାତ ଲାଗିଛି । ପରିବାର ଲୋକଙ୍କ ଗୋଟିଏ ଆଶା ଥିଲା ରାଜାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇପାରିଥାନ୍ତା । କିନ୍ତୁ ସବୁ ଆଶା ମଉଳି ଯାଇଛି ।

ସୂଚନାଯୋଗ୍ୟ,୧୯ ଘଣ୍ଟାର ଅପରେସନ ପରେ ପଞ୍ଚସଖା ନଗର ମୁଖ୍ୟ ଡ୍ରେନ୍ ନିକଟ ବୁଦା ଭିତରୁ ମୃତଦେହକୁ ଉଦ୍ଧାର କରାଯାଇଛି । କାଲିଠାରୁ ନିଖୋଜ ଥିଲେ ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ। ମୁକୁଳା ଡ୍ରେନରେ ଭାସିଯାଇ ସେ ନିଖୋଜ ଥିଲେ। ୩୪ ଜଣ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ଛାତ୍ର ଜଣକ ଶିରିପୁର ଶତାବ୍ଦୀ ନଗର ବ୍ୟାଙ୍କ କଲୋନିର । ପ୍ରବଳ ବର୍ଷା ପରେ ‌ଡ୍ରେନରେ ଚାଲିଥିବା ପାଣି ସୁଅରେ ପଡ଼ିଯିବାରୁ ଭାସି ଯାଇଥିଲେ ଛାତ୍ର ଜଣକ । ତେବେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଛାତ୍ର ଜଣକ ଡ୍ରେନ ପାଖ ଦେଇ ଆସୁଥିବା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା । ଫଳରେ ସେ ଡ୍ରେନରେ ପଡ଼ି ଭାସିଯାଇଥିଲେ ।

ତେବେ ରବିବାର ଅପରାହ୍ଣ ପ୍ରାୟ ୨ଟା ବେଳେ ରାଜା ଘରୁ ବାହାରି ସଂସ୍କୃତ ଟ୍ୟୁସନ୍‌ ପାଇଁ ସୌଭାଗ୍ୟନଗର ଅଭିମୁଖେ ବାହାରିଥିଲେ। ବର୍ଷା ଛାଡ଼ି ସାରିଥିଲେ ବି ରାସ୍ତା ବୁଡ଼ି ଯାଇଥିବାରୁ ମା’ ଟ୍ୟୁସନ୍ ଯିବାକୁ ବାରଣ କରିଥିଲେ । କିନ୍ତୁ ଏକ ପ୍ରୋଜେକ୍ଟ କାମ ସାରି ସାଙ୍ଗେସାଙ୍ଗେ ଫେରି ଆସିବ କହି ରାଜା ସାଇକେଲ ଧରି ଘରୁ ବାହାରି ଯାଇଥିଲେ । ମାତ୍ର ବାଟରେ ଯେ ମୁକୁଳା ଡ୍ରେନ୍‌ ମୃତ୍ୟୁ ଫାଶ ହୋଇ ବସିଛି ବୋଲି କେହି ଜାଣିପାରିନଥିଲେ । ଏମିତିକି ଟ୍ୟୁସନ୍ ଯିବା ବାଟରେ ପଡ଼ୁଥିବା ନାଳରେ ବର୍ଷା ଜଳର ସୁଅ ପଡ଼ିଥିବା ବୋଲି ମା’ ରାଜାକୁ ସତର୍କ କରାଇଥି‌ଲେ ।