ବିଜୁଳି ଦର ବୃଦ୍ଧି ବିରୋଧରେ ଆଜି ଭୁବନେଶ୍ୱର ବିଜେପିର ପ୍ରତିବାଦ । ଓଇଆରସି କାର୍ଯ୍ୟାଳୟ ଆଗରେ ଧାରଣା : ୟୁନିଟ୍ ପିଛା ବଢ଼ିଛି ୨୦ ପଇସା ବୃଦ୍ଧି

116

କନକ ବ୍ୟୁରୋ : ବିଜୁଳି ଦର ବୃଦ୍ଧି ବିରୋଧରେ ଆଜି ଭୁବନେଶ୍ୱର ବିଜେପି କରିବ ପ୍ରତିବାଦ । ଦର ବୃଦ୍ଧି ପ୍ରତିବାଦରେ ଆଜି ଓଇଆର୍ସି କାର୍ଯ୍ୟାଳୟ ଆଗରେ ଧାରଣା ଦେବ ବିଜେପି । ଗତକାଲି ବିଜୁଳି ଦର ବୃଦ୍ଧି ନେଇ ଘୋଷଣା କରାଯାଇଛି । ୟୁନିଟ ପିଛା ୨୦ ପଇସା ବଢ଼ିଛି ବିଦ୍ୟୁତ ଦର । ଦରବୃଦ୍ଧି ନେଇ ସୂଚନା ଦେଇଛି ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ । ଅକ୍ଟୋବର ପହିଲାରୁ ଲାଗୁ ହେବ ଏହି ନୂଆ ଦର । କୋଭିଡ୍ ମହାମାରୀ କାରଣରୁ ଏପ୍ରିଲ ମାସରେ ହେବାକୁ ଥିବା ଦରବୃଦ୍ଧି ବନ୍ଦ ରହିଥିଲା ।

ତେବେ ଏହି ଦରବୃଦ୍ଧିରୁ କୃଷକ, ବିପିଏଲ ଶ୍ରେଣୀରେ ଆସୁଥିବା କୁଟୀର ଜ୍ୟୋତି ଯୋଜନାଭୁକ୍ତ ଗ୍ରାହକଙ୍କୁ ବାଦ ଦିଆଯାଇଛି । ତେବେ ମାସିକ ସର୍ବନିମ୍ନ ଫିକ୍ସଡ୍ ଚାର୍ଜ ଅପରିବର୍ତିତ ରହିବ । ମିଟର ଭଡ଼ା ମଧ୍ୟ ଅପରିବର୍ତିତ ରହିବ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ଧାର୍ଯ୍ୟ ପାଇଁ ଶୁଣାଣୀ ସମୟରେ ଗ୍ରୀଡକୋ ବାର୍ଷିକ ୬୬୦ କୋଟି ଟଙ୍କାର ନିଅଂଟ ଭରଣା ପାଇଁ ଦାବି ରଖିଥିଲା । ଏହି ଆବେଦନକୁ ବିଚାରକୁ ନେଇ ଓଇଆରସି ୩୪୧ କୋଟି ନିଅଂଟକୁ ଭରଣା କରିବାକୁ ମଂଜୁର କରାଯାଇଛି ।