ହାଜିରା ଦେବେ ରାଜା ! ବିରଂଚି ଦାସ ହତ୍ୟା ମାମଲାର ଅପରାଧୀକୁ ମିଳିଲା ସର୍ତ୍ତମୂଳକ ଜାମିନ

28

କନକ ବ୍ୟୁରୋ : ଶେଷରେ ଜାମିନ ପାଇଲେ ରାଜା ଆଚାର୍ଯ୍ୟ । ଭୁବନେଶ୍ୱର ସେସନ କୋର୍ଟ ତାଙ୍କୁ ସର୍ତମୂଳକ ଜାମିନ ଦେଇଛନ୍ତି । ତେବେ ଏଥିପାଇଁ ଏକାଧିକ ସର୍ତ ରଖାଯାଇଛି । ଯେମିତି କି ପ୍ରତିଦିନ ଥାନାରେ ହାଜର ହେବାକୁ ପଡିବ ରାଜାଙ୍କୁ । ଜୁଡୋ କୋଚ୍ ବିରଂଚି ଦାସଙ୍କ ହତ୍ୟା ମାମଲାରେ ସେ ଗତ ୯ ବର୍ଷ ଧରି ଜେଲରେ ଅଛନ୍ତି । ଜାମିନ ପାଇଁ ରାଜା ଆଚାର୍ଯ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସର୍ବୋଚ୍ଚ କୋର୍ଟଙ୍କ ଆଦେଶ ଆଧାରରେ ରାଜାଙ୍କୁ ଜାମିନ ମିଳିଛି ।

ତେବେ ରାଜାଙ୍କ ମୁକୁଳିବା ଖବର ପାଇ ଭୟଭିତ ହୋଇପଡିଛନ୍ତି ବିରଂଚିଙ୍କ ପତ୍ନୀ ଗୀତାଞ୍ଜଳି । କହିଛନ୍ତି ରାଜା ପ୍ରତ୍ୟକ୍ଷ ବା ପରୋକ୍ଷରେ ବି କରିପାରନ୍ତି ଆକ୍ରମଣ । ନିଜ ସୁରକ୍ଷା ସହ ପରିବାର ଓ ଜୁଡୋ ହଲରେ ଥିବା ସାକ୍ଷୀଙ୍କ ସୁରକ୍ଷା ଲୋଡିଛନ୍ତି ଗୀତାଞ୍ଜଳି ।

୯ ବର୍ଷ ତଳେ ୧୩ ଏପ୍ରିଲ ୨୦୦୮ରେ ଜୁଡୋ ହଲ ଆଗରେ କୋଚ ବିରଂଚୀ ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏଥିରେ ଅପରାଧୀ ସାବ୍ୟସ୍ତ ହୋଇ ରାଜା ଆଚାର୍ଯ୍ୟଙ୍କୁ ଆଜୀବନ କରାଦଣ୍ଡର ସଜା ମିଳିଥିଲା । ଏବେ ସୁପ୍ରିମକୋର୍ଟଙ୍କ ଜାମିନ ପାଇଁ ନିର୍ଦ୍ଦେଶ ଏହି ଘଟଣାକୁ ପୁଣି ଥରେ ଚର୍ଚ୍ଚାଘେରକୁ ନେଇଆସିଛି ।

ରାଜା ଆଚାର୍ଯ୍ୟଙ୍କୁ ଜାମିନ ପାଇଁ କୋର୍ଟ ରଖିଛନ୍ତି ୬ଟି ସର୍ତ ବୋଲି ସୂଚନା ଦେଇଛନ୍ତି ରାଜାଙ୍କ ଓକିଲ ସ୍ୱାଗତ ରାୟ । ସେଗୁଡିକ ହେଲା – ଆତଙ୍କ ଖେଳାଇବେ ନି, ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନି ଓ ଧମକ ଦେବେ ନି, ପାସପୋର୍ଟ ପୈଠ କରିବେ ଏବଂ ପାସପୋର୍ଟ ନଥିଲେ ସତ୍ୟପାଠ ଦାଖଲ କରିବେ, ଯେଉଁ ଅଂଚଳକୁ ଯିବେ ସେହି ଥାନାକୁ ଜଣାଇବେ । ରାତ୍ରିଯାପନ କରୁଥିବା ସ୍ଥାନର ତଥ୍ୟ ପୋଲିସକୁ ଜଣାଇବେ ଏବଂ ୫ ଦିନରେ ଥରେ  ଥାନାରେ ହାଜର ହେବେ ।