ଅବରୋଧ ଅଞ୍ଚଳ ମୁକ୍ତ ହେଲା ଭୁବନେଶ୍ୱର । ସତ୍ୟନଗର, ସୂର୍ଯ୍ୟନଗର ଓ ବମିଖାଲରୁ ଉଠିଲା କଣ୍ଟେନମେଣ୍ଟ କଟକଣା । କିନ୍ତୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ତୀକ୍ଷ୍ଣ ନଜର ରଖିବ ବିଏମସି ।

1,349

କନକ ବ୍ୟୁରୋ: ଅବରୋଧ ଅଂଚଳ ମୁକ୍ତ ହେଲା ଭୁବନେଶ୍ୱର । ସତ୍ୟନଗର, ସୂର୍ଯ୍ୟନଗର, ଓ ବମିଖାଲରୁ ଉଠିଲା କଂଟେନମେଂଟ କଟକଣା । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ହେଲେ,ଆଗାମୀ ୭ ଦିନ ପର୍ଯ୍ୟନ୍ତ ଏହି ସବୁ ଅଂଚଳ ଉପରେ ତୀକ୍ଷଣ ନଜର ରଖିବ ପ୍ରଶାସନ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରିଛି ବିଏମସି । ସବୁଠୁ ବଡ କଥା ହେଲା ଗତ ସାତ ଦିନ ମଧ୍ୟରେ ଭୁବନେଶ୍ୱରରେ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି । ଏହାକୁ ଦୃଷ୍ଟିରେ ରଖି ବିଏମସି ଏହି ନିଷ୍ପତି ନେଇଛି ।

ତେବେ ବମିଖାଲ, ସୂର୍ଯ୍ୟନଗର ଓ ସତ୍ୟନଗରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଏହି ତିନ ଅଂଚଳକୁ ପର୍ଯ୍ୟାୟକ୍ରମେ କଂଟେନମେଂଟ ଅଂଚଳ ଘୋଷଣା କରିଥିଲା ଭୁବନେଶ୍ୱର ମହାନଗର ନିଗମ । ଏହି ଅଂଚଳରୁ ଭିତରୁ ବାହାରକୁ ବାହାରିବା ଓ ବାହାରୁ ଭିତରକୁ ପ୍ରବେଶ କରିବା ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲା । ଏହା ପରେ ଏହି ସବୁ ଅଂଚଳରେ ବ୍ୟାପକ ନମୁନା ପରୀକ୍ଷା ମଧ୍ୟ କରାଯାଇଥିଲା ।

ଅନ୍ୟପଟେ ଗତ କିଛି ଦିନ ଧରି ଏହି ଅଂଚଳରୁ ନୂଆ ଆକ୍ରାନ୍ତ ଚିହ୍ନଟ ନହେବା ପରେ ଏସବୁ ଅଂଚଳକୁ କଂଟେନମେଂଟ ମୁକ୍ତ ଅଂଚଳ ଘୋଷଣା କରିଛି ବିଏମସି । ଭୁବନେଶ୍ୱରରେ ମୋଟ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ୨୪ଜଣ ଆକ୍ରାନ୍ତ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।