ହକି ବିଶ୍ୱକପ ପୂର୍ବରୁ ରାଜଧାନୀ ହେବ ୱାଇଫାଇ ସହର : ୭୦ଟି ସ୍ଥାନରେ ରହିବ ୩୦୦ ଆସେସ ପଏଂଟ, ଲୋକଙ୍କୁ ଯୋଗାଇ ଦିଆଯିବ ହାଇସ୍ପିଡ ଇଂଟରନେଟ ସେବା

70

କନକ ବ୍ୟୁରୋ : ଆସନ୍ତା ହକି ବିଶ୍ୱକପ ପୂର୍ବରୁ ଝଲିସିବ ଭୁବନେଶ୍ୱର । ଏନେଇ ସଚିବାଳୟରେ ସୌନ୍ଦ୍ୟର୍ଯ୍ୟ କରଣ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ନଭେମ୍ବର ସୁଦ୍ଧା ଭୁବନେଶ୍ୱରର ୭୦ଟି ଜାଗାରେ ୱାଇଫାଇ ବ୍ୟବସ୍ଥା କରାଯିବ । ସେହିପରି ନୂଆକରି ୨୦୦ଟି ବସ ଷ୍ଟପ ମଧ୍ୟ କରାଯିବ । ଭୁବନେଶ୍ୱରକୁ ସଂପୂର୍ଣ୍ଣ ନବୀକରଣ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ବୈଠକରେ କ୍ରୀଡା ବିଭାଗ ସଚିବ, ବିଏମସି କମିଶନର ଉପସ୍ଥିତ ଥିଲେ । ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବ ହକି ବିଶ୍ୱକପ୍ ।

ସେହିପରି ହକି ବିଶ୍ୱକପ୍ ପାଇଁ ବିଭିନ୍ନ ପ୍ରକଳ୍ପ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବାବେଳେ ଏହା ଯେପରି ଠିକ୍ ସମୟରେ ଶେଷ ହେବ ସେଥିପାଇଁ ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି। ଅପରପକ୍ଷେ ହକି ବିଶ୍ୱକପ ପୂର୍ବରୁ ରାଜଧାନୀରେ ୨୦୦ଟି ନୂଆ ବସ ଚଲାଇବାକୁ ବିପିଟିଏସ ଯୋଜନା କରିଥିବାବେଳେ ଏବେ ୧୦୦ ନୂଆ ବସ୍ ଚଲାଇବାକୁ ନିଷ୍ପତ୍ତି ନେଇଛି। ଏଥିରେ ୫୦ଟି ଷ୍ଟାଣ୍ଡାର୍ଡ ଏସି ବସ ଏବଂ ୫୦ଟି ନନ-ଏସି ବସ ଚାଲିବ। ଏନେଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବାବେଳେ ଏପ୍ରିଲ ୩୦ ସୁଦ୍ଧା ଚୁକ୍ତିନାମା ସ୍ୱାକ୍ଷର ହେବ। ସିଟି ବସ୍ ପାଇଁ ପାତ୍ରପଡ଼ା, ପଟିଆ ଏବଂ ପୋଖରୀପୁଟରେ ଡିପୋ ନିର୍ମାଣ ହେବ। ତିନିଟି ରୁଟରେ ସିଟି ବସ ଚଲାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିରେ କିଟ ଛକରୁ ଲିଙ୍ଗରାଜ ଛକ ପର୍ୟ୍ୟନ୍ତ ୧୬.୫କିମି ରାସ୍ତାକୁ ନେଇ ରୁଟ ୧, ଜନତା ମଇଦାନରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ୨.୮କିମି ରାସ୍ତାକୁ ନେଇ ରୁଟ ୨ ଏବଂ ରାଜଧାନୀର ୨୦ଟି ପର୍ଯ୍ୟଟନସ୍ଥଳୀକୁ ନେଇ ରୁଟ ୩ ପ୍ରସ୍ତୁତ କରାଯାଇଛି। ଏହି ରୁଟରେ ନିୟମିତ ବ୍ୟବଧାନରେ ସିଟି ବସ ଚଳାଚଳ କରିବ। ଏପ୍ରିଲ ୨୫ସୁଦ୍ଧା ପର୍ଯ୍ୟଟନ ବିଭାଗ ପର୍ୟ୍ୟଟନସ୍ଥଳୀ ଚିହ୍ନଟ କରି ରିପୋର୍ଟ ଦେବାକୁ କୁହାଯାଇଛି। ସେହିପରି ଏବେ ରାଜଧାନୀରେ ବିଏମସି ୬୦ଟି ପବ୍ଲିକ ଟଏଲେଟ୍ ଏବଂ ୫୦ଟି ହାଇବ୍ରିଡ ଟଏଲେଟ ନିର୍ମାଣ କରିଥିବାବେଳେ ଆଉ ୬୦ଟି ପବ୍ଲିକ ଟଏଲେଟ ଏବଂ ୧୦୦ଟି ୟୁରିନାଲ ନିର୍ମାଣ କରିବାକୁ କୁହାଯାଇଛି। ଏଗୁଡ଼ିକ ଯେପରି ସଫା ରହିବ ସେନେଇ ବିଏମସି କର୍ତ୍ତୃପକ୍ଷ ପଦକ୍ଷେପ ନେବେ। ବିଶ୍ୱକପ ପୂର୍ବରୁ ରାଜଧାନୀରେ ୩୫୦୦ଟି ବାଇସାଇକେଲ ଚଲାଇବାକୁ ନିଷ୍ପତ୍ତି ହୋଇଛି। ସ୍ମାର୍ଟ କାର୍ଡ ବ୍ୟବହାର କରି ଯେ କେହିବି ଏହି ସାଇକେଲ ଭଡ଼ାରେ ନେଇପାରିବେ। ଏନେଇ ଟେଣ୍ଡର ପ୍ରକ୍ରିୟା ଆପାତତଃ ଶେଷ ହୋଇଥିବାବେଳେ ମେ ୧୦ ସୁଦ୍ଧା ଚୁକ୍ତି ସ୍ୱାକ୍ଷର ହେବ।

ବିଶ୍ୱକପ୍ ସମୟରେ ରାଜଧାନୀବାସୀ, ପର୍ଯ୍ୟଟକମାନେ ଯେପରି ନିଆରା ଅନୁଭୂତି ପାଇବେ ସେଥିପାଇଁ ଐତିହ୍ୟ ପଦଯାତ୍ରା, ପଥୋତ୍ସବ, ପାର୍କରେ ସଂଗୀତ ସନ୍ଧ୍ୟା, ପାରମ୍ପାରିକ ନୃତ୍ୟ ଓ କଳା ଶିବିର, ଖାଦ୍ୟ ବଜାର, ଚଳଚ୍ଚିତ୍ର ମହୋତ୍ସବ ଆଦି ଆୟୋଜନ କରାଯିବ। ଏଥିରେ ଓଡ଼ିଶା ସଂସ୍କୃତିର ଛାପ ରଖିବାକୁ ମୁଖ୍ୟ ଶାସନ ସଚିବ କହିଛନ୍ତି। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ଏହି ହକି ବିଶ୍ୱକପରେ ୧୬ଟି ଦଳ ଭାଗ ନେବେ। ପ୍ରତ୍ୟେକ ଦିନ ଅପରାହ୍ଣ ୫ଟାରୁ ଖେଳ ଆରମ୍ଭ ହେବ। ଡିସେମ୍ବର ୧୨ ଓ ୧୩ରେ କ୍ୱାର୍ଟର ଫାଇନାଲ୍, ୧୫ରେ ସେମିଫାଇନାଲ ଏବଂ ୧୬ରେ ଫାଇନାଲ ମ୍ୟାଚ ଖେଳାଯିବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍ସି କମିସନର ହକି ବିଶ୍ୱକପ ପାଇଁ ହେବାକୁ ଥିବା ଭିତ୍ତିଭୂମି ବିଷୟରେ ସୂଚନା ଦେଇଥିଲେ। ଏହି ବୈଠକରେ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା, ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ମୋନା ଶର୍ମା, ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଶକ୍ତି ବିଭାଗ ସଚିବ ହେମନ୍ତ ଶର୍ମା, କ୍ରୀଡ଼ା ସଚିବ ବିଶାଲ ଦେବ, ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।