ଗଂଜେଇ ଚାଲାଣ ଭାୟା ଭୁବନେଶ୍ୱର : ଭରତପୁର ଅଂଚଳରୁ ବସ୍ତା ବସ୍ତା ଗଞ୍ଜେଇ ଜବତ, ଗାଡିରେ ଚାମ୍ବର କରି ଆସୁଥିଲା ଗଞ୍ଜେଇ; ଜଣେ ଗିରଫ, ଚେର ରାଜ୍ୟ ବାହାରକୁ ଲମ୍ବିଥିବା ସନ୍ଦେହ

148

କନକ ବ୍ୟୁରୋ : ରାଜଧାନୀ ଉପକଣ୍ଠରେ ଧରାପଡିଛି ଗଂଜେଇ ଗାଡି । ଆଜି ସକାଳୁ ସକାଳୁ ଏହି ଗଂଜେଇ ଗାଡିକୁ ଜବତ କରିଛି ଅବକାରୀ ବିଭାଗର ଟିମ୍ । ଏହି ଘଟଣା ରାଜଧାନୀରେ ପୁଣି ଥରେ ବେଧଡକ ଚାଲିଛି ଗଞ୍ଜେଇ ଚାଲାଣ , ଏହି କଥାକୁ ପ୍ରମାଣ କରୁଛି । ରାଜଧାନୀ ଉପକଣ୍ଠ ଭରତପୁର ଅଂଚଳରୁ ଅବକାରୀ ବିଭାଗର ମୋବାଇଲ ସ୍କାର୍ଡ ଗଂଜେଇ ଭର୍ତି ବଲେରୋ ଗାଡିକୁ ଜବତ କରିଛି । ଜବତ ହୋଇଥିବା ଗାଡିରୁ ବିପୁଳ ପରିମାଣର ଗଂଜେଇ ଜବତ ହୋଇଛି । ପ୍ରାୟ ୯୨ଟି ପ୍ୟାକେଟ ଜବତ ହୋଇଛି । ଏହା ମଧ୍ୟରେ ୯୩ କେଜି ଗଞ୍ଜେଇଥିବା ଜଣାପଡିଛି । ଅତି ଚତୁରତାର ସହିତ ଗାଡିର ସିଟ୍ ତଳେ ସ୍ୱତନ୍ତ୍ର ଭାବେ ଚାଂବର କରି ଗଂଜେଇ ସବୁକୁ ଚାଲାଣ କରାଯାଉଥିଲା । ଛୋଟ ଛୋଟ ପ୍ୟାକେଟ୍ କରି ଏହାକୁ ଗାଡିର ସିଟ୍ ତଳେ ଏବଂ ଗାଡି ଭିତରେ ଏହାକୁ ରଖାଯାଇଥିଲା, ଯେପରି ଗାଡିକୁ ଦେଖିବା ଲୋକ ମଧ୍ୟ ସହଜରେ ଜାଣିପାରିବ ନାହିଁ ।

ଘଟଣାରେ ଗାଡି ଚାଳକକୁ ଅବକାରୀ ବିଭାଗ ଗିରଫ କରି ଡାକ୍ତରୀମାଇନା ପାଇଁ ପଠାଇ ଦେଇଛି । ଏହା ପରେ ତାକୁ ଜେରା କଲେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛି ଅବକାରୀ ବିଭାଗ । ସବୁଠାରୁ ବଡ କଥା ହେଉଛି ଏହି ଗଂଜେଇ ଗାଡି କନ୍ଧମାଳରୁ ଆସିଛି ଭୁବନେଶ୍ୱର । ଏହା ମଧ୍ୟରୁ ଏକାଧିକ ନଂବର ପ୍ଲେଟ୍ ମଧ୍ୟ ଜବତ ହୋଇଛି । ଅନୁମାନ କରାଯାଉଛି ଏହି ଗଂଜେଇ ଚାଲାଣ ପଛରେ କୌଣସି ରାକେଟ୍ କାମ କରୁଥାଇ ପାରେ । ତେବେ ଏହି ଗଂଜେଇ ଚାଲାଣର ଚେର କେଉଁ କେଉଁ ଆଡେ ଲଂବିଛି ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।