କନକ ବ୍ୟୁରୋ : ଏଟିଏମ ଲୁଟ୍ ଘଟଣାରେ ଗିରଫ ହେଲା ୨ ଅଭିଯୁକ୍ତ । ବାଙ୍ଗଲୋରରୁ ଏହି ଗ୍ୟାଙ୍ଗର ୨ ସଦସ୍ୟଙ୍କୁ ଗିରଫ କରାଯାଇଛି । ଏନେଇ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଗତ ୪ ତାରିଖରେ ଭୁବନେଶ୍ୱର ଇନ୍ଦିରା କଲୋନୀରେ ଥିବା ଏଟିଏମକୁ ତାଡି ନେଇ ଦୟା ନଦୀରେ ଫୋପାଡି ଦେଇଥିଲେ ଦୁବୁର୍ତ । ଓଡିଶାରେ ପ୍ରଥମ ଥର ପାଇଁ ଘଟିଥିଲା ଏଭଳି ଘଟଣା, ପୂରା ଏଟିଏମ ମେସିନକୁ ତାଡି ନେଇଯାଇଥିଲେ ଦୁବୁର୍ତ । ପୂର୍ବରୁ ଦିଲ୍ଲୀରେ ବି ଏଭଳି ଘଟଣା ଘଟିଥିବା ବେଳେ ପୋଲିସ ଏହି ଗ୍ୟାଙ୍ଗକୁ ଖୋଜୁଥିଲା ।
ତେବେ ଏହି ଲୁଟେରା ଗ୍ୟାଙ୍ଗର ସମସ୍ତ ସଦସ୍ୟ ବାଙ୍ଗାଦେଶୀ ବୋଲି ଜଣାପଡିଛି । ଏହି ଗ୍ୟାଙ୍ଗକୁ ଧରିବାକୁ କମିଶନରେଟ୍ ପୋଲିସର ଏକ ଟିମ୍ ବାଙ୍ଗାଲୋର ଯାଇଥିଲା । ସେଠାରେ ବିଭିନ୍ନ ହୋଟେଲରେ ଚଢଉ କରିବା ପରେ ଗ୍ୟାଙ୍ଗର ୨ ସଦସ୍ୟଙ୍କୁ ଗିରଫ କରାଯାଇଛି । ଠିିକ୍ ସମୟରେ ୨ଜଣଙ୍କୁ ଗିରଫ କରିବାରେ ସଫଳ ହେବାରୁ ବାଙ୍ଗାଲୋରରେ ସେମାନେ ଏହି ଘଟଣା ଘଟାଇପାରିନାହାନ୍ତି ବୋଲି କହିଛନ୍ତି ସିପି । ଅଭିଯୁକ୍ତ ରହିଥିବା ଭୁବନେଶ୍ୱରର ବିଭିନ୍ନ ହୋଟେଲ ଓ ଲଜରେ ତନାଘନା ଆରମ୍ଭ ହୋଇଛି । ଓଲ୍ଡଟାଉନର କମଳା ଲଜ ଓ ଖାରବେଳନଗରର ସେଂଟ୍ରାଲ ଗେଷ୍ଟ ହାଉସ ମାଲିକ ଓ ମ୍ୟାନେଜର ଅଟକ ରଖିଛି ପୋଲିସ । ରାଜଧାନୀରେ ଆହୁରି ଅନେକ ଲଜ ଓ ଓ ହୋଟେଲ ଏବେ ପୋଲିସ ସ୍କାନରରେ ରହିଛି । ଏଟିଏମରେ ସୁରକ୍ଷା ବ୍ୟବସ୍ଥା ତ୍ରୁଟି ପାଇଁ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖିବ ପୋଲିସ । ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମସିନ୍ ରିକ୍ରିଏସନ କରିବ ପୋଲିସ ।

Advertisment