ଭଲ ଖବର ! ଦେଶର ଟପ୍ ୧୦ ସ୍ୱଚ୍ଛ ରେଳ ଷ୍ଟେସନ ଭିତରେ ସ୍ଥାନ ପାଇଲା ଭୁବନେଶ୍ୱର ।

68

ରେଳଯାତ୍ରୀଙ୍କ ପାଇଁ ଖୁସିର ଖବର । ଭୁବନେଶ୍ୱର ରେଳ ଷ୍ଟେସନ ଦେଶର ଶ୍ରେଷ୍ଠ ସ୍ୱଚ୍ଛ ୧୦ଟି ରେଳ ଷ୍ଟେସନରେ ସ୍ଥାନ ପାଇଛି । ଏନେଇ ଆଜି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଦେଶର ୧୦ଟି ସ୍ୱଚ୍ଛ ରେଳ ଷ୍ଟେସନର ନାମ ଘୋଷଣା କରିଛନ୍ତି । ଯେଉଁଥିରେ ଭୁବନେଶ୍ୱର ନବମ ସ୍ଥାନରେ ରହିଛି । ସୂଚନା ଅନୁଯାୟୀ, ଗତ ୨୦୧୭ ମସିହାରେ ଏହି ଧାରାରେ ଭୁବନେଶ୍ୱର ୧୩ ନମ୍ବର ସ୍ଥାନରେ ରହିଥିଲା ।

ସେହିପରି ପୁରୀ ରେଳ ଷ୍ଟେସନ ଗତ ବର୍ଷ ଏହି ସର୍ବେକ୍ଷଣରେ ୩୭ ନମ୍ବର ସ୍ଥାନରେ ରହିଥିବା ବେଳେ ନୂଆ କରି ହୋଇଥିବା ସର୍ବେକ୍ଷଣରେ ପୁରୀ ରେଳ ଷ୍ଟେସନ ୨୨ ନମ୍ବର ସ୍ଥାନରେ ରହିଛି । ତେବେ ସବୁଠାରୁ ବଡ କଥା ହେଉଛି ପୂର୍ବତଟ ରେଳବାଇର କାଟାଗୋରି ଅନୁଯାୟୀ ଓଡିଶାର କେବଳ ଭୁବନେଶ୍ୱର ଏବଂ ପୁରୀ ରେଳ ଷ୍ଟେସନ ଏ୧ କାଟାଗୋରୀରେ ସ୍ଥାନ ପାଇ ପାରିଛି । ତେବେ ଏ୧ କ୍ୟାଟାଗୋରିର ଶ୍ରେଷ୍ଠ ୧୦ଟି ରେଳ ଷ୍ଟେସନ ହେଉଛି, ଜୋଧପୁର, ତିରୁପତି, ବିଜୟୱାଡା, ଆନନ୍ଦ ବିହାର ଟର୍ମିନାଲ, ସିକନ୍ଦରାବାଦ ଜଙ୍କସନ୍, ବାନ୍ଦ୍ରା, ହାଇଦ୍ରାବାଦ, ଭୁବନେଶ୍ୱର ଏବଂ ବିଶାଖାପାଟଣା । ତେବେ କଟକ ରେଳ ଷ୍ଟେସନ ଗତ ବର୍ଷ ୧୦୦ ନମ୍ବର ସ୍ଥାନରେ ରହିଥିବା ବେଳେ ଚଳିତ ସର୍ବେକ୍ଷଣରେ ୩୦ ନମ୍ବର ସ୍ଥାନରେ ରହିଛି ।

ତେବେ ଓଡିଶାର ଅନ୍ୟ ରେଳ ଷ୍ଟେସନ ଗୁଡିକ ମଧ୍ୟରେ ପଳସା ୨୦ ନମ୍ବର ସ୍ଥାନରେ ରହୁଥିବା ବେଳେ ବ୍ରହ୍ମପୁର ୩୫ ନମ୍ବର, ଯାଜପୁର-କେନ୍ଦୁଝର ରୋଡ ଷ୍ଟେସନ ୩୯ ନମ୍ବର, ରାୟଗଡା ୬୪ ନମ୍ବର, ଖୋର୍ଦ୍ଧା ଷ୍ଟେସନ ୧୨୭ ନମ୍ବର, ଭଦ୍ରକ ୧୬୦ ନମ୍ବର ଏବଂ ସମ୍ବଲପୁର ୨୩୯ ନମ୍ବର ସ୍ଥାନରେ ରହିବା ସହ ଏ କାଟାଗୋରିରେ ସ୍ଥାନ ପାଇଛନ୍ତି । ତେବେ ଏହି ସ୍ୱଚ୍ଛତା ସର୍ବେକ୍ଷଣ ୨୦୧୬ ମସିହାରେ କ୍ୱାଲିଟି କାଉନସିଲ୍ ଅଫ୍ ଇଣ୍ଡିଆ ଦ୍ୱାରା ଆରମ୍ଭ ହୋଇଥିଲା । ଏବଂ ଏହା ପର ଠାରୁ ସମସ୍ତ ରେଳ ଷ୍ଟେସନ ଗୁଡିକରେ ସ୍ୱଚ୍ଛାତା ପ୍ରତି ଅନେକ ଧ୍ୟାନ ଦିଆଯାଇଥିଲା ।