ଭୁବନେଶ୍ୱର ଏମ୍ସର ହିନ୍ଦୀ ପ୍ରୀତି । ସମସ୍ତ ଫାଇଲ ଓ ବିଷୟ ହିନ୍ଦୀରେ ଲେଖିବାକୁ ଜାରି ହେଲା ନିର୍ଦ୍ଦେଶ : କର୍ମଚାରୀଙ୍କୁ ହିନ୍ଦୀରେ ଦସ୍ତଗତ କରିବାକୁ ବିଜ୍ଞପ୍ତି

185

କନକ ବ୍ୟୁରୋ : ଭୁବନେଶ୍ୱର ଏମ୍ସର ହିନ୍ଦୀ ଭାଷା ବ୍ୟବହାର ନେଇ ନିର୍ଦ୍ଦେଶନାମା, ଏହାକୁ ସାଂସଦ ପିନାକୀ ମିଶ୍ରଙ୍କ ବିରୋଧ । ଭୁବନେଶ୍ୱର ଏମ୍ସର ଏକ ବିଜ୍ଞପ୍ତିକୁ ନେଇ ଏହି ବିବାଦ ତେଜିଛି । ଏମ୍ସ ପକ୍ଷରୁ ସମସ୍ତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁଥିରେ ସମସ୍ତେ ହିନ୍ଦୀରେ ଦସ୍ତଖତ କରିବାକୁ କୁହାଯାଇଛି । ସମସ୍ତ ଫାଇଲ ନାଁ ଓ ବିଷୟ ହିନ୍ଦୀରେ ଲେଖାଯିବାକୁ ନିର୍ଦ୍ଦେଶ ରହିଛି । ରେଜିଷ୍ଟରର ନାଁ, ହେଡିଂ, ସବହେଡିଂ ହିନ୍ଦୀରେ ଲେଖାଯିବା ସହ ହିନ୍ଦୀରେ ଏଂଟ୍ରି କରିବାକୁ କୁହାଯାଇଛି । ଏହା ସହ ଅତିକମରେ ୩୦ ପ୍ରତିଶତ ନୋଟିଂ ଓ ୫୫ ପ୍ରତିଶତ ଚିଠିପତ୍ର ହିନ୍ଦୀରେ ଲେଖିବା ପାଇଁ ବାଧ୍ୟତାମୂଳକ କରାଯାଇଛି ।

ସେହିପରି ପ୍ରଶାସନିକ ବୈଠକରେ ହିନ୍ଦୀ ଭାଷା ବ୍ୟବହାର କରିବାକୁ କୁହାଯାଇଛି । ଭୁବନେଶ୍ୱର ଏମ୍ସର ଏପରି ନିର୍ଦ୍ଦେଶନାମାକୁ ବିରୋଧ କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ସେ କହିଛନ୍ତି, ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ, ଯାହା ଭାଷା ଭିତିରେ ଗଠନ ହୋଇଛି । ତେଣୁ ଓଡ଼ିଶାରେ କାର୍ଯ୍ୟ କରୁଥିବା କୌଣସି ସଂସ୍ଥା ଆମ ମାତୃଭାଷାକୁ ଗୌଣ କରିବାକୁ ଉଦ୍ୟମ କଲେ ଏହାକୁ ପ୍ରଶୟ ଦିଆଯିବନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିକଟରେ ଏ ନେଇ ଅଭିଯୋଗ କରାଯିବ ଏବଂ ଏଭଳି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିବାକୁ ଦାବି କରାଯିବ ବୋଲି କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର ।