ଭୁବନେଶ୍ୱର ବମିଖାଲରୁ ତିନି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସିଲ୍ ହେଲା ବମିଖାଲ ଅଂଚଳ । ଅଂଚଳ ଭିତରକୁ ଯିବା କିମ୍ବା ବାହାରକୁ ବାହାରିବା ଉପରେ ଲାଗିଲା କଟକଣା

1,527

କନକ ବ୍ୟୁରୋ : ଭୁବନେଶ୍ୱରର ବମିଖାଲ ଅଂଚଳକୁ ସିଲ୍ କରିଛି ବିଏମସି । ଏହି ଅଂଚଳରୁ ୩ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ଏହାକୁ ସିଲ୍ କରିଛନ୍ତି । ଏହି ଅଂଚଳକୁ ବିଏମସି କମିଶନର ସଂକ୍ରମିତ ଅଂଚଳ ଭାବେ ଘୋଷଣା କରିଛନ୍ତି । ଏକାମ୍ର୍ ହଲ୍ ନିକଟସ୍ଥ କାଫେ କଫି ଡେରୁ ଝାରପଡା କେନାଲ ରୋଡ, କେନାଲ ରୋଡଠାରୁ ଝାରପଡା ଦୁର୍ଗା ମଣ୍ଡପ, ଝାରପଡା ଦୁର୍ଗା ମଣ୍ଡପରୁ କଟକ-ପୁରୀ ରୋଡର ଡିସିବି ବ୍ୟାଙ୍କ ଛକ ଏବଂ ଡିସିବି ବ୍ୟାଙ୍କ ଛକରୁ ଏକାମ୍ର ହଲ ନିକଟସ୍ଥ କାଫେ କଫି ଡେ ପର୍ଯ୍ୟନ୍ତ ସିଲ୍ କରିଦିଆଯାଇଛି । ଏହି ଅଂଚଳର କୌଣସି ବ୍ୟକ୍ତି ବାହାରକୁ ନବାହାରିବାକୁ ଏବଂ ଏହି ଅଂଚଳକୁ କେହି ନଯିବାକୁ ବିଏମସି ନିର୍ଦ୍ଦେଶ ଦେଇଛି ।

ସଂକ୍ରମିତ ଅଂଚଳର ଲୋକେ ସଂପୂର୍ଣ୍ଣ ଭାବେ ଘର ଭିତରେ ରହିବାକୁ କୁହାଯାଇଛି । ଜରୁରୀ ସାମଗ୍ରୀ ତଥା ମେଡିକାଲ ସେବା ବିଏମସି ଯୋଗାଇ ଦେବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଏହା ସହ ଏହି ସଂକ୍ରମିତ ଅଂଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ ଘୋଷଣା କରାଯାଇଛି । ଏହା ସହ ଏହି ଅଂଚଳର ପରିମଳ, ଜରୁରୀ ସାମଗ୍ରୀ ଯୋଗାଣ ଓ ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ଦୁଇ ଜଣ ଅଧିକାରୀ ଓ ଜଣେ ଡାକ୍ତରଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି କରାଯାଇଛି ।