କୁଆଖାଇ ନଈପଠାରୁ ଉଦ୍ଧାର ମୃତ ଯୁବକ ଜଣଙ୍କ କିଏ ? ଉଦ୍ଧାରର ୨୪ ଘଂଟା ପରେ ବି ମିଳିପାରିନାହିଁ ପରିଚୟ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

216

କନକ ବ୍ୟୁରୋ : ଭୁବନେଶ୍ୱର ବରିମୁଣ୍ଡ କୁଆଖାଇ ନଈପଠାରୁ ଉଦ୍ଧାର ମୃତ ଯୁବକ ଜଣଙ୍କ କିଏ ? ଉଦ୍ଧାରର ୨୪ ଘଂଟା ପରେ ବି ଯୁବକଙ୍କ ପରିଚୟ ମିଳିପାରିନାହିଁ । ମୃତ ଯୁବକଙ୍କ ପରିଚୟ ଖୋଜୁଛି ପୋଲିସ । ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ଭୁବନେଶ୍ୱର ଏମ୍ସକୁ ପଠାଯାଇଛି । ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ତିନି ଚାରି ଦିନ ତଳୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମୃତକଙ୍କ ପରିଚୟ ଜାଣିବା ପାଇଁ ଟ୍ୱିନ୍ ସିଟିର ସବୁ ଥାନାକୁ ଆଲର୍ଟ କରାଯାଇଛି । ୧୦ ଦିନ ତଳର ମିସିଂ ରିପୋର୍ଟକୁ ଯାଂଚ କରାଯାଉଛି । ଯୁବକଙ୍କ କାନରେ ଥିବା ସୁନା କୁଣ୍ଡଳ ଓ ଡ୍ରେସ୍କୁ ଆଧାର କରି ତଦନ୍ତ ଆରମ୍ଭ ହୋଇଛି ।

ଭୁବନେଶ୍ୱର କୁଆଖାଇ ନଦୀପଠାରେ ମୃତଦେହ ପୋତି ହୋଇଥିବା ଖବର ମିଳିବା ପରେ ଗତକାଲି ବାଲିକୁ ଖୋଳାଯାଇ ମୃତଦେହ ଉଦ୍ଧାର କରାଯାଇଥିଲା । ଦେହରେ କିଛି କ୍ଷତି ହୋଇନଥିବା ବେଳେ ମୁହଁ ନଷ୍ଟ ହୋଇଯାଇଥିଲା । ତେବେ ଏହି ମୃତଦେହ କାହାର ଓ ଏହା ପଛରେ କିଏ ସେ ନେଇ ଏବେ ବି ସସପେନ୍ସ ଜାରି ରହିଛି । ପ୍ରଥମିକ ତଦନ୍ତ ରିପୋର୍ଟ ଅନୁସାରେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।