ଶଙ୍ଖ ଫୁଙ୍କିଲେ ଭୃଗୁ ବକ୍ସିପାତ୍ର । ଶଙ୍ଖଭବନରେ ବିଜେଡିରେ ହେଲେ ସାମିଲ, ସକାଳେ ବିଜେପିରୁ ଦେଇଥିଲେ ଇସ୍ତଫା ।

920

କନକ ବ୍ୟୁରୋ : ବିଜେଡିରେ ଯୋଗ ଦେଲେ ଭୃଗୁ ବକ୍ସିପାତ୍ର । ଶହ ଶହ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି ଭୃଗୁ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଦୁଇ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଆଜି ସକାଳେ ବିଜେପିରୁ ଇସ୍ତଫା ଦେଇଥିଲେ ଭୃଗୁ । ଗତଥର ବ୍ରହ୍ମପୁରରୁ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ଲଢିଥିଲେ ଭୃଗୁ । କିନ୍ତୁ ଚଳିତଥର ବିଜେପି ତାଙ୍କୁ ଟିକେଟ ଦେଇନଥିଲା । ଏପରିକି ବ୍ରହ୍ମପୁର ବିଧାନସଭା ଆସନରୁ ମଧ୍ୟ ଭୃଗୁଙ୍କ ନାଁ ଘୋଷଣା ହୋଇନଥିଲା । ଯାହାକୁ ନେଇ ଭୃଗୁ ବେଶ ଅସନୁଷ୍ଟ ଥିଲେ ବୋଲି ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଆଜି ସକାଳେ ବିଜେପିରୁ ଇସ୍ତଫା ଦେଇଥିଲେ ଭୃଗୁ ।

ବିଜେଡିରେ ଯୋଗ ଦେବା ପରେ ଭୃଗୁ ବକ୍ସିପାତ୍ର କହିଛନ୍ତି, ଓଡ଼ିଶାର ସାମୁହିକ ବିକାଶ ଦ୍ରୁତ ଗତିରେ ଚାଲିଛି। ଏହାକୁ ଅଧିକ କ୍ରିୟାଶୀଳ କରିବା ସହ ଟାଣୁଆ ଓଡ଼ିଆ ଜାତି ଗଠନ ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଯେଉଁ ପ୍ରୟାସ ଚାଲିଛି ସେଥିରେ ଗୁଣ୍ଡୁଚି ମୂଷା ହୋଇ କାମ କରିବି। ଯେଉଁ ଦଳରେ ଥିଲି ସେ ଦଳକୁ କୃତଜ୍ଞତା ଜଣାଉଛି। ଦକ୍ଷିଣ ଓଡିଶା ଓ ସାରା ଓଡ଼ିଶାର ସବୁ ବର୍ଗ ବିକାଶ ପାଇଁ କାମ କରିଛି। କିନ୍ତୁ କିଛି ଦିନ ହେବ ସେ ଦଳରେ ମନ ବୁଝିଲାନି। ଏବେ ନୂଆ ସୁଯୋଗ ଆସିଛି ଏହାକୁ ବିକାଶ କାମରେ ଲଗାଇବାକୁ କାମ କରିବି। ବିଜେପି ଓଡ଼ିଶା ପ୍ରଦେଶ ଓ ଦେଶର ବିଜେପି ଦଳ ଭିତରେ ଆକାଶ ପାତାଳ ଫରକ । ଯେଉଁ ଦଳରେ ଥିଲି ତାହା ରାଷ୍ଟ୍ରୀୟ ଦଳ ଥିଲା। ଯେଉଁ ଦଳ ଛାଡିଲି ସେ ଦଳ ତାହାର ରାସ୍ତାର ବିଚ୍ୟୁତ ହୋଇଛି।

ଭୃଗୁ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ଅତ୍ୟନ୍ତ ଦୁଃଖର ସହିତ ବିଜେପିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି । ଗତ ୨୩ ବର୍ଷ ଧରି ଜଣେ ସଭ୍ୟ ଭାବେ ରାଜ୍ୟରେ ପାର୍ଟିର ଉନ୍ନତି ପାଇଁ ସମସ୍ତ ପ୍ରୟାସ କରିଛି । ପାର୍ଟି ଦେଇଥିବା ସମସ୍ତ ଦାୟିତ୍ୱ ନିଷ୍ଠା, ପରିଶ୍ରମ ଏବଂ ସ୍ଥିରତା ସହିତ ତୁଲାଇଛି । ତେବେ ବିଭିନ୍ନ ସାଙ୍ଗଠନିକ ଓ ରାଜନୈତିକ କାର୍ଯ୍ୟ ବୃଦ୍ଧି କରିବାରେ ପାର୍ଟି ମୋ ଉପରେ ଆସ୍ଥା ରଖିଥିବାରୁ ମୁଁ କୃତଜ୍ଞ । କିନ୍ତୁ ଗତ କିଛି ଦିନ ହେଲା ଦଳରେ ମୋର କିମ୍ବା ମୋ ସେବାର ଆବଶ୍ୟକତା ଆଉ ନାହିଁ ବୋଲି ଉପଲବ୍ଧି କଲି । ତେଣୁ ଆଗକୁ ବଢିବା ପାଇଁ ସ୍ଥିର କଲି । ଲୋକଙ୍କ ସେବା ଓ ଓଡିଶାର ବିକାଶରେ ନିଜର କାର୍ଯ୍ୟକୁ ବଜାୟ ରଖିବି ବୋଲି ସେ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।

ଭୃଗୁ ବିଜେଡିରେ ମିଶିବା ପରେ ଦଳ ତାଙ୍କୁ ବ୍ରହ୍ମପୁର ଲୋକସଭା କିମ୍ବା ବିଧାନସଭାରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଏହାଭିତରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଦଳ ଇସ୍ତାହାର କମିଟିର ଅଧ୍ୟକ୍ଷ ଏବଂ ଦଳର ଉପ-ସଭାପତି ଦାୟିତ୍ୱ ଦେଇଛି । ତେଣୁ ଚନ୍ଦ୍ରଶେଖରଙ୍କୁ ନିର୍ବାଚନ ମୈଦାନକୁ ନ ଓହ୍ଲାଇ ଭୃଗୁଙ୍କୁ ବ୍ରହ୍ମପୁରରେ ପ୍ରାର୍ଥୀ କରିପାରେ ଦଳ ।