କନକ ବ୍ୟୁରୋ : ଏମଏସପି ଗ୍ୟାରେଣ୍ଟି, ବେକାରୀ ସମସ୍ୟା ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ହଲ୍ଲାବୋଲ । ଆଜି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ଫସଲର ଏମଏସପି ବୃଦ୍ଧିକୁ ଆଇନଗତ ସ୍ୱୀକୃତି ଦେବାକୁ ଦାବି କରି କୃଷକ ସଂଗଠନ ଏହି ବନ୍ଦ ଡାକରା ଦେଇଛନ୍ତି । କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି । ଅପରାହ୍ନ ୪ଟା ଯାଏ ବନ୍ଦ ଡାକରା ଦିଆଯାଇଥିବା ବେଳେ ଜରୁରୀକାଳୀନ ସେବାକୁ ଏଥିରୁ ବାଦ ଦିଆଯାଇଛି ।

Advertisment

ଦିଲ୍ଲୀ ହରିୟାଣାର ଶମ୍ଭୁ ସୀମାରେ କେନ୍ଦ୍ର ସରକାର ଯେଉଁଭଳି ଭାବେ କୃଷକ ମାନଙ୍କ ଆନ୍ଦୋଳନକୁ ଦମନ କରିବାକୁ କଳ, ବଳ, କୌଶଳ ଲଗାଇଦେଇଛନ୍ତି ତାହାକୁ ବିଭିନ୍ନ କୃଷକ ସଂଗଠନ ସମେତ ଟ୍ରେଡ ୟୁନିୟନ ଗୁଡିକ ମଧ୍ୟ ନିନ୍ଦା କରିଛନ୍ତି । ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ଷଡଯନ୍ତ୍ର ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଅପରାହ୍ନ ୧୨ଟାରୁ ୪ଟା ପର୍ଯ୍ୟନ୍ତ ଦେଶର ବିଭିନ୍ନ ପ୍ରମୁଖ ସ୍ଥାନରେ ଚାଷୀ ମାନେ ଚକାଜାମ କରିବାକୁ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି । ସମସ୍ୟାର ସମାଧାନ ପନ୍ଥା ନିର୍ଦ୍ଧାରଣ ଲାଗି କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ, ଅର୍ଜୁନ ମୁଣ୍ଡା ଏବଂ ନିତ୍ୟାନନ୍ଦ ରାୟ ଚଣ୍ଡୀଗଡ଼ ସୀମାରେ ପହଁଚିଛନ୍ତି । ସେମାନଙ୍କ ସହ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ ମଧ୍ୟ ସାମିଲ ହୋଇଛନ୍ତି । ତେବେ ବିଭିନ୍ନ ଫସଲର ଏମଏସପି ବୃଦ୍ଧିକୁ ଆଇନଗତ ସ୍ୱୀକୃତି ନମିଳିବା ଯାଏଁ ଆନ୍ଦୋଳନ ପ୍ରତ୍ୟାହୃତ ହେବାର ପ୍ରଶ୍ନ ଉଠୁନାହିଁ ବୋଲି କୃଷକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।