୧୦ ଘଂଟା ପରେ ମିଳିଲେ ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ମୁଖ୍ୟ । ଅହମ୍ମଦାବାଦ ସାହିବାଗର ଏକ ହସ୍ପିଟାଲରୁ ଠାବକଲା ପୁଲିସ

50

କନକ ବ୍ୟୁରୋ : ବିଶ୍ୱ ହିନ୍ଦୁ ପରିଷଦ ନେତା ପ୍ରବୀଣ ତୋଗାଡିଆଙ୍କ ମିଳିଲା ପତା । ସୋମବାର ସକାଳୁ ତାଙ୍କ ନିଖୋଜ ନେଇ ଖବର ପରେ ସଂଧ୍ୟାରେ ଗୁଜରାଟ ଅହମ୍ମଦାବାଦର ସାହିବାଗ ଅଂଚଳରୁ ଉଦ୍ଧାର କରାଯାଇଛି ।ଅହମ୍ମଦାବାଦର ସାହିବାଗ ଅଞ୍ଚଳରେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିବା କୁହାଯାଉଛି। ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି। ତାଙ୍କୁ ଗିରଫ କରିବା ଲାଗି ରାଜସ୍ଥାନ ପୋଲିସ ଏଠାକୁ ଆସିବା ପରଠାରୁ ସେ ନିଖୋଜ ଥିଲେ। ତାଙ୍କୁ ଠାବ କରିବା ଲାଗି ଗୁଜରାଟ ପୋଲିସ ୪ଟି ଟିମ ଗଠନ କରିଥିଲା।

ତେବେ ପରିଷଦର ଉତ୍ତ୍ୟକ୍ତ କର୍ମୀମାନେ ସ୍ଥାନୀୟ ଏକ ଥାନାରେ ପଶି ଭଙ୍ଗାରୁଜା କରିବା ସହିତ ରାସ୍ତା ଅବରୋଧ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ରାଜସ୍ଥାନ ପୋଲିସ ତାଙ୍କୁ ଗିରଫ କରି ନେଇ ପଳାଇଛି। କିନ୍ତୁ ରାଜସ୍ଥାନ ପୋଲିସ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା।
ମିଳିଥିବା ଖବର ଅନୁସାରେ ଏକ ପୁରୁଣା ମାମଲାରେ ତୋଗାଡ଼ିଆଙ୍କୁ ଗିରଫ କରିବା ଲାଗି ରାଜସ୍ଥାନ ପୋଲିସ ଅଧିକାରୀ ଆଜି ଏଠାକୁ ଆସିଥିଲେ। ତୋଗାଡ଼ିଆଙ୍କୁ ଗିରଫ କରିବାରେ ସେମାନେ ସ୍ଥାନୀୟ ପୋଲିସର ସହାୟତା ଲୋଡ଼ିଥିଲେ। ଗୁଜରାଟ ପୋଲିସ ସହାୟତାରେ ରାଜସ୍ଥାନ ପୋଲିସ ତୋଗାଡ଼ିଆଙ୍କ ଘରକୁ ଯାଇଥିଲା।

ମାତ୍ର ସେତେବେଳେ ତୋଗାଡ଼ିଆ ସେଠାରେ ନଥିଲେ। ତେଣୁ ସେମାନେ ଖାଲି ହାତରେ ଫେରିଥିଲେ। ତେବେ କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ଯେ ତୋଗାଡ଼ିଆ ଆଜି ସକାଳ ୧୦ଟା ବେଳେ ପରିଷଦ କାର୍ୟ୍ୟାଳୟରୁ ଏକ ଅଟୋରେ ଯାଉଥିବା ସେମାନେ ଦେଖିଛନ୍ତି। ତୋଗାଡ଼ିଆଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଥିବା ବେଳେ ସେ କିପରି କାହାକୁ ନଜଣାଇ ଅର୍ନ୍ତଧାନ ହୋଇଗଲେ ବୋଲି ପରିଷଦ କର୍ମୀ ପ୍ରଶ୍ନ କରିଛନ୍ତି। ସେମାନେ ଅଭିଯୋଗ କରିଥିଲେ ଯେ ରାଜସ୍ଥାନ ପୋଲିସ ତାଙ୍କୁ ନେଇଯାଇଛି। ତୋଗାଡ଼ିଆଙ୍କୁ ପୋଲିସ ଏନକାଉଣ୍ଟର କରିଥାଇପାରେ ବୋଲି ସେମାନେ ସନ୍ଦେହ ପ୍ରକାଶ କରିଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ତୋଗାଡ଼ିଆଙ୍କୁ ମୁକ୍ତ ନକଲେ ସେମାନେ ଆନ୍ଦୋଳନ କରିବାକୁ ଧମକ ଦେଇଥିଲେ।

ଅନ୍ୟପକ୍ଷରେ ରାଜସ୍ଥାନ ପୋଲିସ ଏହାକୁ ଖଣ୍ଡନ କରିଛି। ରାଜସ୍ଥାନ ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ସେମାନେ ତୋଗାଡ଼ିଆଙ୍କୁ ଗିରଫ କରିବାକୁ ଯାଇଥିଲେ। କିନ୍ତୁ ଖାଲି ହାତରେ ସେମାନେ ଫେରିଛନ୍ତି। ତେବେ ଗୁଜରାଟ ପୋଲିସ କହିଛି ଯେ ତୋଗାଡ଼ିଆ ନିଖୋଜ ଅଛନ୍ତି ଏବଂ ତାଙ୍କୁ ଠାବ କରିବା ଲାଗି ଉଦ୍ୟମ ଚଳାଇଛି।