କନକ ବ୍ୟୁରୋ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିିଳିଛି । ହେଲେ ଫଳ ବାହାରିବାର ୮ ଦିନ ପରେ ମଧ୍ୟ କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ ସେ ନେଇ ଦଳ ତରଫରୁ ନିଷ୍ପତ୍ତି ହୋଇପାରି ନାହିଁ । ହେଲେ ଏହି ସମୟରେ ଏମିତି ଜଣେ ବିଧାୟକଙ୍କ ସଚ୍ଚୋଟତା ସାମ୍ନାକୁ ଆସିଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କିଛି ବିଧାୟକ ଅଛନ୍ତି ସେମାନଙ୍କୁ ନିର୍ବାଚନ ଖର୍ଚ୍ଚ ପାଇଁ ଦଳ ଦେଇଥିବା ଟଙ୍କା ଯଦି ବଳିପଡିଲା ତେବେ ସେମାନେ ତାହାକୁ ନିଜ ଖର୍ଚ୍ଚରେ ଲଗାଇ ଦେଇଥାନ୍ତି । ହେଲେ ଏବେ ଏଭଳି ଜଣେ ବିଧାୟକଙ୍କ ନାମ ସାମ୍ନାକୁ ଆସିଛି ଯେ, କି ନିର୍ବାଚନ ପାଇଁ ଦଳ ଦେଇଥିବା ଟଙ୍କା ବଳିପଡିବାରୁ ସେ ସଚ୍ଚୋଟତାର ସହ ବଳିପଡିଥିବା ଟଙ୍କାକୁ ଦଳକୁ ଫେରାଇ ଦେଇଛନ୍ତି । ବିଧାୟକ ଜଣଙ୍କ ହେଉଛନ୍ତି ମଧ୍ୟପ୍ରଦେଶ ଉଜୈନର ନାଗଦା ନିର୍ବାଚନ ମଣ୍ଡଳୀର ବିଜୟୀ ହୋଇଥିବା ଡାକ୍ତର ବାହାଦୂର ସିଂ ଚୌହାନ । ନିର୍ବାଚନ ଖର୍ଚ୍ଚ ପାଇଁ ପାର୍ଟି ତାଙ୍କୁ ୨୦ ଲକ୍ଷ ଟଙ୍କା ଦେଇଥିଲା । ବିଧାୟକ ଜଣଙ୍କ ସେଥିରୁ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିଥିଲେ ଓ ବାକି ୭ ଲକ୍ଷ ଟଙ୍କା ଏବେ ସେ ପାର୍ଟିକୁ ଫେରାଇ ଦେଇଛନ୍ତି । ତାଙ୍କର ସଚ୍ଚୋଟତାକୁ ନେଇ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।

Advertisment

ସୂଚନା ଥାଉକି ନାଗଦା ବିଧାନସଭା ମଣ୍ଡଳୀରୁ ଡାକ୍ତର ବାହାଦୂର ସିଂ ବିଜେପି ଟିକେଟରୁ ନିର୍ବାଚନ ଲଢିଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରର୍ଥୀ ଦିଲ୍ଲୀପ ଗୁର୍ଜରଙ୍କୁ ୧୫ ହଜାର ଭୋଟରେ ପରାଜିତ କରିଥିଲେ ।