କନକ ବ୍ୟୁରୋ: ଦିଲ୍ଲୀର ‘ବୁରାଡି ଘଟଣା’ ମନରୁ ନଲିଭୁଣୁ ଏବେ ଭୋପାଳର ଏମିତି ଏକ ଆତ୍ମହତ୍ୟା ଘଟଣା ଆସିଛି ଯାହା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଗୋଟିଏ ପରିବାରର ୫ ଜଣ ଏକା ସାଙ୍ଗେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଏପରିକି ଘରେ ପାଳିଥିବା ନୀରିହ କୁକୁର ଓ ମୂଷାଙ୍କ ମୁହଁରେ ବି ଜହର ଦେଇଦେଇଛି ଏହି ପରିବାର । ଦିଲ୍ଲୀର ବୁରାଡି ଆତ୍ମହତ୍ୟା ଘଟଣାକୁ କେଇ ବର୍ଷ ବିତିନଥିବାବେଳେ ଭୋପାଳର ଏହି ସାମୁହିକ ଆତ୍ମହତ୍ୟା ଘଟଣା, ବଡ଼ ବ୍ରେକିଂ ପାଲଟିଛି । ଆରମ୍ଭ ହୋଇଛି ଆତ୍ମହତ୍ୟା ପଛର କାରଣ ଖୋଜା...
ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ । ଭୋପାଳ ଆନନ୍ଦ ବିହାର କଲୋନୀରେ ରହୁଥିବା ଯୋଶୀ ପରିବାରର ୫ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ଜଣେ ମେକାନିକ୍ ଭାବେ ପରିଚୟ ସୃଷ୍ଟି କରିଥିବା ଏହି ବ୍ୟକ୍ତି ଜଣକ ନିଜ ପତ୍ନୀ, ଦୁଇ ଝିଅ ସହ ଜନ୍ମକଲା ମା’ଙ୍କୁ କୋଲ୍ଡଡ୍ରିଙ୍କ୍ସରେ ବିଷ ମିଶାଇ ସାମୁହିକ ଆତ୍ମହତ୍ୟା କରିଛନ୍ତି । କେବଳ ପରିବାରର ୫ ସଦସ୍ୟ ନୁହେଁ ତାଙ୍କ ଘରେ ପୋଷା ମାନିଥିବା କୁକୁର ଓ ମୂଷାଙ୍କୁ ମଧ୍ୟ ବିଷ ପିଆଇ ଦେଇଛି ଏହି ପରିବାର । ତେବେ ଏଭଳି ଚରମ ନିଷ୍ପତ୍ତି ଯୋଗୁଁ ମେକାନିକଙ୍କ ଗୋଟିଏ ଝିଅ ଏବଂ ମାଆଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ମେକାନିକ୍, ତାଙ୍କ ପତ୍ନୀ ଏବଂ ଅନ୍ୟ ଝିଅ ଜଣକ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ଦେଶର ଛାତିକୁ ଦୋହଲାଇ ଦେଇଥିବା ଭୋପାଳର ଏହି ଘଟଣାକୁ ନେଇ ପୋଲିସ କହିଛି ଯେ, ଘଟଣା ସ୍ଥଳରୁ ଏକ ସୁସାଇଡ୍ ନୋଟ୍ ମିଳିଛି । ଯେଉଁଥିରେ ଏହି ପରିବାର ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଛନ୍ତି । ଲେଖିଛନ୍ତି କି, ପରିବାରର ଆର୍ଥିକ ସ୍ଥିତି କିଛି ସ୍ୱଚ୍ଛଳ ନଥିଲା ଚଳିବା ପାଇଁ ରହୁଥିବା ଘରଟିକୁ ବନ୍ଧା ପକାଇ ଋଣ କରିଥିଲେ । ଯାହାର କିସ୍ତି ପରିଶୋଧ କରିବାରେ ବହୁତ ସମସ୍ୟା ହେଉଥିଲା । ଏପରିିକି ଯାହାଙ୍କ ପାଖରେ ଘର ବନ୍ଧା ପକାଇଥିଲେ ସେ ବାରମ୍ବାର କିସ୍ତି ପରିଶୋଧ କରିବାକୁ ଧମକ ଦେଉଥିଲା ଚାପ ପକାଉଥିଲା । ଯେଉଁଥିପାଇଁ ଶେଷରେ କିଛି ଉପାୟ ନପାଇ ସାମୁହିକ ଆତ୍ମହତ୍ୟାର ବାଟକୁ ଆପଣାଇଲେ । ଘର ପାଖ ଦୋକାନରୁ ଏକ କୋଲ୍ଡଡ୍ରିଙ୍କ୍ସ ଆଣି ସେଥିରେ ବିଷ ମିଶାଇ ଆତ୍ମହତ୍ୟା କରିଛନ୍ତି ଏହି ପରିବାର ।
ତେବେ ଏହି ଘଟଣାର ସତ ଆଗକୁ ଆଉ କ’ଣ ବାହାରିବ ତାହା ପୋଲିସର ତଦନ୍ତ ହିଁ ବୟାନ କରିବ । କିନ୍ତୁ ଋଣ ଭାର ପାଇଁ ଏମିତି ଚରମ ନିଷ୍ପତ୍ତି ନେବା କେତେଦୂର ଠିକ୍? ତା’ ପୁଣି ନିଜ ଜୀବନକୁ ଭଲ କରି ବୁଝିନଥିବା ଦୁଇ ଝିଅଙ୍କୁ ମରଣ ମୁହଁରେ ପକାଇବା । ସାତଜନ୍ମ ପାଇଁ ସାଥୀ କରିଥିବା ପତ୍ନୀଙ୍କ ସହ ଜନ୍ମକଲା ମାଆକୁ ବି ମୃତ୍ୟୁ ମୁହଁକୁ ଠେଲିଦେବା । ଘରେ ନୀରିହ ପାଳିତ ପଶୁଙ୍କ ପ୍ରାଣ ନେଇ କ’ଣ ମିଳିଲା? ଆଇନର ଅଙ୍କକଷା ଏଭଳି ଅଭାବନୀୟ ଘଟଣା ଉପରୁ ପରଦା ଉଠାବାରେ ସକ୍ଷମ ହେବ କି ନାହିଁ ତାହା ଜଣାନାହିଁ କିନ୍ତୁ ଋଣ ବୋଝ ହେଉ କି ଅନ୍ୟ କେଉଁ କାରଣରୁ ନୀରିହ ଜୀବନ ଗୁଡ଼ିକ ଗଲା ତାହାର ଉତ୍ତର ମିଳିବା ହୁଏତ କଷ୍ଟକର ହୋଇପଡ଼ିବ ।