ଭୋପାଳ ଗ୍ୟାସ୍ ଲିକ୍ ଦୁର୍ଘଟଣାକୁ ପୁରିଲା ୩୬ ବର୍ଷ । ଏବେ ବି ନ୍ୟାୟ ଅପେକ୍ଷାରେ ୧୬ ହଜାର ମୃତକଙ୍କ ପରିବାର । ମୁଖ୍ୟ ଅଭିଯୁକ୍ତ ୱାରେନ୍ ଆଣ୍ଡରସନ୍ ଙ୍କ ମୃତ୍ୟୁ ପରେ ନ୍ୟାୟ ଆଶା କ୍ଷୀଣ

227

କନକ ବ୍ୟୁରୋ : ୩୬ ବର୍ଷ ପୂର୍ବର କାଳରାତ୍ରୀ । ୧୯୮୪ ମସିହା ଡିସେମ୍ବର ୨ ଓ ୩ ତାରିଖ । ମଧ୍ୟପ୍ରଦେଶର ଭୋପାଳ ସହରରେ ଖେଳିଗଲା ଆତଙ୍କ । ୟୁନିୟନ କାର୍ବାଇଟ୍ ଇଣ୍ଡିଆ ପେଷ୍ଟିସାଇଡ କମ୍ପାନୀରୁ ନିର୍ଗତ ବିଷାକ୍ତ ମିଥାଇଲ ଆଇସୋସିଆନେଟ୍ ଗ୍ୟାସ୍ ବ୍ୟାପିଗଲା ସହରରୁ ସହରକୁ । ଏହି ଗ୍ୟାସ୍ ଏତେ ବିଷାକ୍ତ ଥିଲା ଯେ ନିର୍ଗତ ହେବାର କିଛି ସମୟ ମଧ୍ୟରେ ୨,୨୫୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା  । ପରେ ଏହି ମୃତ୍ୟୁ ସଂଖ୍ୟା ୩,୭୮୭ ବୋଲି ମଧ୍ୟପ୍ରଦେଶ ସରକାର ରିପୋର୍ଟ ଦେଲେ । ହେଲେ ବାସ୍ତବରେ ମୃତ୍ୟୁ ସଂଖ୍ୟା ୧୬ ହଜାର ପାର ହୋଇଥିବା ନେଇ ସେତେବେଳେ ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା । ଏତ ଥିଲା ମୃତ୍ୟୁ ସଂଖ୍ୟା । ହେଲେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୫୮ ହଜାର ୨୫ ଜଣ ଓ ଆଶିଂକ ଆହତଙ୍କ ସଂଖ୍ୟା ୩୮,୪୭୮ ବୋଲି ମଧ୍ୟପ୍ରଦେଶ ସରକାର ୨୦୦୬ ରେ ସତ୍ୟପାଠ ଦାଖଲ କଲେ । ଅନ୍ୟପଟେ ୩୯୦୦ ଲୋକ ଏଥିରେ ଦିବ୍ୟାଙ୍ଗ ହୋଇଥିବା ବି ସରକାର ସୂଚନା ଦେଇଥିଲେ । କହିରଖୁ କି ଗ୍ୟାସ ଲିକ୍ ହେବାର ୨ ସପ୍ତାହ ମଧ୍ୟରେ ୮ ହଜାର ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ଗ୍ୟାସ୍ ପ୍ରଭାବରେ ପରବର୍ତ୍ତି ସମୟରେ ୮ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା ।
୧୯୬୯ ମସିହାରେ ଭାରତ ସରକାରଙ୍କ ସିକୃତି ପାଇ ମଧ୍ୟପ୍ରଦେଶ ଭୋପାଳ ଠାରେ ପେଷ୍ଟିସାଇଡ୍ କାରଖାନା ୟୁନିୟନ କାର୍ବାଇଡ ଇଣ୍ଡିଆ ସ୍ଥାପନ କରାଯାଇଥିଲା । ୪୯ ବର୍ଷ ପରେ କମ୍ପାନୀ ଏବେ ସେଠିକାର ଭୂୁତଳ ଜଳରେ ୧୦ ହଜାର ଟନ୍ ମିଶ୍ରିତ କରିସାରିଛି । ପ୍ରଥମେ ଏହି କମ୍ପାନୀ ଯୋଗୁଁ ୧୫ ଟି ବସ୍ତି ପ୍ରଭାବିତ ହୋଇଥିବା ବେଳେ ପରେ ୩୦ ଟି ଓ ଏବେ ୪୨ ଟି ବସ୍ତିର ମାଟି ଜହର ପାଲଟିଛି । ଏବେ ବି କମ୍ପାନୀର ବାହାର ପରିସରରେ ହଜାର ହଜାର ଟନ୍ ବିଷାକ୍ତ ବର୍ଜ୍ୟ ବସ୍ତୁ ପଡି ରହିଛି । ଏହାକୁ ନେଇ ବିଭିନ୍ନ ସମୟରେ ବି ଜନ ଅସନ୍ତୋଷ ଦେଖିବାକୁ ମିଳିଛି ।
ହେଲେ ଏହି ବିଷାକ୍ତ ଗ୍ୟାସ୍ ଲିକ୍ ର ମୁଖ୍ୟ ଅଭିଯୁକ୍ତ ତଥା କାରଖାନାର ସଂଚାଳକ ୱାରେନ୍ ଆଣ୍ଡରସନ୍ ଭାରତ ଛାଡି ନିଜ ଦେଶ ଆମେରିକାକୁ ପଳାୟନ କରିଥିଲେ । ଗୋଟିଏପଟେ ପୀଡିତ ମାନେ ତାଙ୍କୁ ଦଣ୍ଡ ଦେବାକୁ ସରକାରଙ୍କୁ ଗୁହାରୀ କରିଥିଲେ ବି ଭାରତ ସରକାର ତାଙ୍କୁ ଆମେରିକାରୁ ଭାରତ ଆଣିବାରେ ବିଫଳ ହୋଇଥିଲେ । ମାତ୍ର ୨୦୧୪ ସେପ୍ଟେମର ୨୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।