ଚର୍ଚ୍ଚାରେ ବିଜେପି ନେତ୍ରୀ ଉମା ଭାରତୀଙ୍କ ବିବାଦୀୟ ବୟାନ । କହିଲେ, ଅଫିସରମାନଙ୍କ ଔକାତ ନାହିଁ, ଆମ ଚପଲ ଉଠାନ୍ତି ।

269

କନକ ବ୍ୟୁରୋ: ମଧ୍ୟପ୍ରଦେଶର ପୂୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ଉମା ଭାରତୀଙ୍କ ଏକ ବୟାନ ଏବେ ତାଙ୍କ ପାଇଁ ଅଡୁଆ ସାଜିପାରେ । କାହିଁକି ନା, ସୋସିଆଲ୍ ମିଡିଆରେ ତାଙ୍କର ଏକ ଭିଡିଓ ଏବେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ସରକାରୀ ଅଫିସରମାନଙ୍କ ବିରୋଧରେ କହିଛନ୍ତି ।

ଉମା ଭାରତୀ ଏହି ଭାଇରାଲ ଭିଡିଓରେ କହିଛନ୍ତି, “ସରକାରୀ ଅଫିସର ଔକାତ ନାହିଁ, ସେମାନେ କେବଳ ଚପଲ ଉଠାନ୍ତି । ସରକାରୀ ଅଫିସରମାନଙ୍କୁ ନେତାମାନେ ବୁଲାନ୍ତି । ନେତାଙ୍କ ସହିତ ଅଫିସର ଆଗୁଆ କଥା ହୁଅନ୍ତି, ତା ପରେ ଫାଇଲ୍ ତିଆରି ହୁଏ । ମୁଁ ୧୧ ବର୍ଷ ମନ୍ତ୍ରୀ ଆଉ ମୁଖ୍ୟମନ୍ତ୍ରୀ ରହିଛି । ଆମେ ତାଙ୍କୁ ପୋଷ୍ଟିଂ ଦେଉ, ତାଙ୍କୁ ଚାକିରି ଦେଉ , ତାଙ୍କୁ ପ୍ରମୋସନ ଦେଉ । ବୁରୋକ୍ରେସୀ ବାହାନାରେ ଆମେ ରାଜନୀତି କରୁ ।”

ସୂଚନା ଯୋଗ୍ୟ ଯେ, ଓବିସି ସଂରକ୍ଷଣ କଥାକୁ ନେଇ କିଛି ବ୍ୟକ୍ତି ଉମା ଭାରତୀଙ୍କୁ ଭେଟିବାକୁ ଯାଇଥିଲେ । ସେଠାରେ ତାଙ୍କ ସହିତ କଥାବାର୍ତ୍ତା ବେଳର ଏହି ଭିଡିଓଟି ଏବେ ଖୁବ ଭାଇରାଲ୍ ହେବାରେ ଲାଗିଛି । ତେବେ ଏହି ଘଟଣାକୁ ନେଇ ବିରୋଧୀମାନେ ଏବେ ଉମାଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । କଂଗ୍ରେସ ଏହି ମାମଲାରେ ଉମାଙ୍କୁ କଟାକ୍ଷ କରିବା ସହିତ ବିଜେପିର ସ୍ପଷ୍ଟୀକରଣ ମାଗିଛି ।

ଗତ କିଛି ଦିନ ହେଲା ଉମା ଭାରତୀ ଲଗାତାର ଚର୍ଚ୍ଚାରେ ରହିଆସିଛନ୍ତି । ନିଜ ସରକାର ବିରୋଧରେ ହିଁ ତାଙ୍କ ବୟାନବାଜି ବିଜେପିକୁ ଅସୁବିଧାରେ ପକାଉଛି । ମଦ ବନ୍ଦ କରିବାକୁ ସେ ଆସନ୍ତା ଜାନୁଆରୀ ୧୫ ତାରିଖରୁ ରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି । ତାଙ୍କ କହିବା କଥା ହେଲା, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ପ୍ରଦେଶ ଅଧ୍ୟକ୍ଷ ବିଡି ଶର୍ମା ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରନ୍ତୁ, ନଚେତ୍ ସେ ୬ ମାସ ପରେ ରାସ୍ତାକୁ ଓହ୍ଲାଇବେ । ହେଲେ ଏହାରି ଭିତରେ ତାଙ୍କର ଏହି ଭାଇରାଲ ଭିଡିଓ ବିଜେପିକୁ ଚିନ୍ତାରେ ପକାଇଛି ।