କନକ ବ୍ୟୁରୋ : ଭେଣ୍ଡି କିଲୋକୁ ୮୦୦ ଟଙ୍କା । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ । ସାଧାରଣତଃ ଆପଣ ଭେଣ୍ଡି କିଲୋ ପିଛା ସର୍ବାଧିକ ୫୦ରୁ ୭୦ ଟଙ୍କା ହେଲେ ମଧ୍ୟ ଯଥେଷ୍ଟ ଅଧିକ ହୋଇଥାଏ । କିନ୍ତୁ ଆମେ ଆପଣଙ୍କୁ ଏମିତି ଭେଣ୍ଡି ବିଷୟରେ ଜଣାଇବୁ ଯାହାର କିଲୋପ୍ରତି ଦର ୮୦୦ ଟଙ୍କା ଓ ରଙ୍ଗ ମଧ୍ୟ ସମ୍ପୂର୍ଣ୍ଣ ଅଲଗା । ଆମେ ଖାଉଥିବା ଭେଣ୍ଡି ସବୁଜ ରଙ୍ଗର ହୋଇଥିବା ବେଳେ ଏହି ଭେଣ୍ଡିର ରଙ୍ଗ ଲାଲ । ଆଉ ଏହିଭଳି ଭେଣ୍ଡି ନିଜ ଜମିରେ ଫଳାଉଛନ୍ତି ମଧ୍ୟପ୍ରଦେଶ ଭୋପାଳର ଚାଷୀ ମିଶିରିଲାଲ ରାଜପୁତ ।
ଆମେ ଖାଉଥିବା ଭେଣ୍ଡି ଠାରୁ ଏହି ଭେଣ୍ଡି ଭିନ୍ନ ପ୍ରଜାତିର ହୋଇଥିବା ବେଳେ ଏହାର ରଙ୍ଗ ଲାଲ । ସବୁଜ ଭେଣ୍ଡି ଠାରୁ ଏହି ଲାଲ ରଙ୍ଗର ଭେଣ୍ଡି ଚାଷ ଅଧିକ ଲାଭଦାୟକ ଏବଂ ପୁଷ୍ଟିକର । ଖାସକରି ବିଭିନ ରୋଗରେ ପୀଡିତ ହେଉଥିବା ରୋଗୀଙ୍କ ପାଇଁ ଏହା ବେଶ ଉପକାରୀ । ହୃଦଘାତ, ରକ୍ତଚାପ, ମଧୁମେହ ଓ କୋଲେଷ୍ଟ୍ରଲ ରୋଗ ଥିବା ଲୋକଙ୍କ ପାଇଁ ଏହା ଅଧିକ ଉପକାରୀ ।
ଗୋଟିଏ ଏକର ଜମିରେ ସର୍ବାଧିକ ୭୦ରୁ ୮୦ କ୍ୱିଣ୍ଟାଲ ଫଳୁଥିବା ଲାଲ ଭେଣ୍ଡିର ଦର ବଜାରରେ ମଧ୍ୟ ଯଥେଷ୍ଟ ଅଧିକ । ସାଧାରଣ ଭେଣ୍ଡିର ଦର ଠାରୁ ଏହି ଭେଣ୍ଡିର ଯଥେଷ୍ଟ ଚାହିଦା ମଧ୍ୟ ରହିଛି । ଖୋଲା ବଜାରରେ ଖୁବ କମ ମିଳୁଥିବା ଏହି ଭେଣ୍ଡି ବଡ ବଡ ପରିବା ଦୋକାନ ଓ ମଲରେ ବିକ୍ରି ହୋଇଥାଏ । ୨୫୦/୫୦୦ ଗ୍ରାମ ପ୍ୟାକେଟରେ ଭର୍ତ୍ତି କରି ଏହି ଲାଲ ଭେଣ୍ଡି ମଲରେ ବିକ୍ରି ହୋଇଥାଏ । କିଲୋପିଛା ୮୦୦ ଟଙ୍କା ପର୍ଯ୍ୟନ୍ତ ଏହି ଲାଲ ରଙ୍ଗର ଭେଣ୍ଡି ବିକ୍ରି ହୋଇଥାଏ ବୋଲି କହିଛନ୍ତି ମିଶିରିଲାଲ ରାଜପୁତ । ତେବେ ଏହି ଲାଲ ଭେଣ୍ଡି ସ୍ୱାସ୍ଥ୍ୟ ପାଇଁ ବେଶ ହିତକର ହୋଇଥିବାରୁ ଏହି ପ୍ରଜାତିର ଭେଣ୍ଡି ଚାଷ କରି ଲାଭବାନ ହୋଇପାରିବେ ଚାଷୀ ।
Follow Us