କାରାକାଟ ଆସନରୁ ନିର୍ବାଚନ ଲଢିବେ ଭୋଜପୁରୀ ଗାୟକ ପୱନ ସିଂ । ବିଜେପି ସହଯୋଗୀ ଉପେନ୍ଦ୍ର କୁଶୱାହାଙ୍କୁ ଦେବେ ଟକ୍କର

247

କନକ ବ୍ୟୁରୋ : ଭୋଜପୁରୀ ଗାୟକ ପୱନ ସିଂ ଲୋକସଭା ନିର୍ବାଚନ ଲଢିବେ । ସେ ବିହାରର କାରାକାଟ ଲୋକସଭା ଆସନରୁ ପ୍ରାର୍ଥୀ ହେବେ । ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ କି କେଉଁ ଦଳ ଟିକେଟରୁ ନିର୍ବାଚନ ଲଢିବେ ତାହା ସ୍ପଷ୍ଟ କରିନାହାଁନ୍ତି । ହେଲେ କାରାକାଟ ଲୋକସଭା ଆସନରୁ ନିର୍ବାଚନ ଲଢିବା ନେଇ ସେ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ।

ସୂଚନା ଥାଉ କି,ବିଜେପି ତରଫରୁ ପୱନ ସିଂଙ୍କୁ ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଆସନରୁ ଟିକେଟ୍ ଦିଆଯାଇଥିଲା । ଏହି ଟିକେଟ ପାଇବା ପରେ ପୱନ ସିଂ ଖୁସି ବ୍ୟକ୍ତ କରିବା ସହ ଆସନସୋଲ ସହ ତାଙ୍କର ରକ୍ତ ସଂପର୍କ ଥିବା କହିଥିଲେ । ହେଲେ ଟିକେଟ ପାଇବାର ପରଦିନ ସେ ନିଜ ବୟାନ ବଦଳାଇଥଲେ । ସେ କହିଥିଲେ କି ବ୍ୟକ୍ତିଗତ କାରଣରୁ ସେ ଆସନସୋଲ ଆସନରୁ ନିର୍ବାଚନ ଲଢିପାରିବେ ନାହିଁ । ଏହାପରେ ବିଜେପି ତରଫରୁ ଆସନସୋଲ ଆସନରୁ ପୱନ ସିଂଙ୍କ ସ୍ଥାନରେ ଏସଏସ୍ ଆଲୁବାଲିଆଙ୍କୁ ଟିକେଟ ଦେଇଥିଲା । ସେପଟେ କାରାକାଟ ଲୋକସଭା ଆସନରେ ବିଜେପି ତାର ସହଯୋଗୀ ପାର୍ଟି ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାର ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହାଙ୍କୁ ପ୍ରାର୍ଥୀ କରିଛି ।

ବିହାରର କାରାକାଟ ଲୋକସଭା ଆସନରେ ଗତ ୩ ଲୋକସଭା ନିର୍ବାଚନରେ କୁଶୱାହା ଜାତିର ନେତାଙ୍କ ଦବଦବା ରହିଛି । ୨୦୦୯ ଓ ୨୦୧୯ରେ ଏହି ଆସନରୁ ଜେଡିୟୁ ନେତା ମହାବଳୀ ସିଂ କୁଶୱାହା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏନଡିଏ ପ୍ରାର୍ଥୀ ଭାବେ ୨୦୧୪ ମସିହାରେ ଉପେନ୍ଦ୍ର କୁଶୱାହା ବିଜୟୀ ହୋଇଥିଲେ । ଚଳିତ ନିର୍ବାଚନରେ ଏହି ଆସନରେ ବିଶେଷ ଭାବେ ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ମୁଖ୍ୟତ ପ୍ରତିଦ୍ୱନ୍ଦିତା ହେବ । ଏଠାରୁ ଇଣ୍ଡିଆ ମେଣ୍ଟ ସିପିଆଇ (ଏମଏଲ) ତରଫରୁ ରାଜାରାମ ସିଂ କୁଶୱାହାଙ୍କୁ ପ୍ରାର୍ଥୀ କରାଯାଇଛି ।