କନକ ବ୍ୟୁରୋ: ଭୋଗରାଇ ବ୍ଲକ ପରିସରରୁ ଗଛ କଟାଯିବା ଘଟଣାରେ ବିଡିଓଙ୍କ ଗିରଫଦାରୀ ଦାବି କରିଛି କଂଗ୍ରେସ । ଗଛ କଟା ପାଇଁ ବିଡିଓଙ୍କୁ ଦାୟୀ କରିବା ସହ ପ୍ରଶାସନକୁ ତିନି ଦିନ ସମୟ ଦେଇଥିଲା କଂଗ୍ରେସ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଭୋଗରାଇ କଂଗ୍ରେସ ଦଳ ଭୋଗରାଇ ଥାନାରେ ଏତଲା ଦେଇଛି ।

Advertisment

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଶହ ଶହ ବର୍ଷର ପୁରୁଣା ଗଛକୁ ରାତି ଅଧରେ ଲୁଟ କରାଯାଇଥିବା ନେଇ କଂଗ୍ରେସ ଅଭିଯୋଗ କରିଥିଲା । ଲୁଟ ବେଳର ଭିଡିଓ ଭାଇରଲ ମଧ୍ୟ ହୋଇଥିଲା । ଆଉ ଏଥିରେ ସିଧାସଳଖ ବିଡିଓଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ଆଣି ମାମଲା ରୁଜୁ କରିବାକୁ ଦାବି କରିଥିଲା କଂଗ୍ରେସ । ବ୍ଲକ ପରିସରରୁ ପ୍ରାୟ ୨୦ରୁ ଅଧିକ ଗଛ କଟାଯାଇ ଏହାକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ପ୍ରମାଣ ନଷ୍ଟ ପାଇଁ କିଛି ଗଛର ମୂଳକୁ ତାଡ଼ି ଦିଆଯିବା ସହିତ ଅନ୍ୟ କିଛି ଗଛର ମୂଳକୁ ନିଆଁ ଲଗାଇ ପୋଡ଼ାଯାଇଥିବା କଂଗ୍ରେସ ଅଭିଯୋଗ କରିଥିଲା । ତେବେ ଆଗକୁ କୌଣସି କାର୍ଯ୍ୟାନୁଷ୍ଠାନ ନହେଲେ କଂଗ୍ରେସ ଦଳ ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅନଶନରେ ବସିବ ବୋଲି ଚେତାବନୀ ଦେଇଛି । ସେପଟେ ବିଡିଓ କହିଛନ୍ତି ଏହି ସବୁ ଗଛ ପାଇଁ କୌଣସି ଅନୁମତି ଆବଶ୍ୟକ ନାହିଁ ।