ଭୋଗରାଇ ବାଡ଼ସରିଷା ଗାଁ ମହିଳାଙ୍କ ରୋଜଗାରର ମାଧ୍ୟମ ପାଲଟିଛି ମୁଢ଼ି ସନ୍ତୁଳା । ବିନା ତାଲିମରେ ଚୁଡ଼ା ଓ ମୁଢ଼ିରେ ପ୍ରସ୍ତୁତ କରୁଛନ୍ତି ସୁସ୍ୱାଦୁ ଜଳଖିଆ

29

କନକ ବ୍ୟୁରୋ : ବିନା ତାଲିମରେ ଗାଁ ମହିଳା ମାନେ କରୁଛନ୍ତି ଭଲ ରୋଜଗାର । ଚୁଡ଼ା ଓ ମୁଢ଼ିରେ ପ୍ରସ୍ତୁତ କରୁଛନ୍ତି ସୁସ୍ୱାଦୁ ଜଳଖୀଆ । ମୁଢ଼ି, ମିକ୍ସର, ବାଦାମ, ନଡ଼ିଆ, କାଜୁ ଓ ଅନ୍ୟାନ୍ୟ ଡ୍ରାଏ ଫ୍ରୁଟସ ମିଶାଇ ମହିଳା ମାନେ ପ୍ରସ୍ତୁତ କରୁଥିବା ଏହି ଜଳଖୀଆର ଚାହିଦା ସ୍ଥାନୀୟ ବଜାରରେ ବେଶ ଅଧିକ ରହିଛି । ବାଲେଶ୍ୱର ଭୋଗରାଇ ବ୍ଲକ ବାଡ଼ସରିଷା ଗାଁର ମହିଳା ମାନେ ରୋଜଗାର କରିବା ପାଇଁ ଏଭଳି କିଛି ବାଟ ବାଛିଛନ୍ତି । ଘର କାମ ପରେ ମହିଳା ମାନେ କିଛି ସମୟ ବାହାର କରି ମୁଢ଼ି ଭାଜନ୍ତି । ସେଥିରେ ବିଭିନ୍ନ ପ୍ରକାରର ମସଲା ମିଶାଇ ପ୍ରସ୍ତୁତ କରନ୍ତି ମୁଢ଼ି ସନ୍ତୁଳା ଓ ନାସ୍ତା । ଏହାକୁ ଛୋଟ ଛୋଟ ପ୍ୟାକେଜିିଂ କରି ସେଥିରେ ନିଜ ଉତ୍ପାଦିକ ଗୋଷ୍ଠୀର ନାମ ଥିବା ଷ୍ଟିକରିଂ ରଖି ବଜାରକୁ ବିକ୍ରି ପାଇଁ ପଠାଉଛନ୍ତି । ଯାହା ସେମାନଙ୍କୁ କିଛି ରୋଜଗାର ଦେଉଛି ।

୨୧ ଜଣ ମହିଳା ମିଶି ମା’ ଲକ୍ଷ୍ମୀ ଉତ୍ପାଦିକ ଗୋଷ୍ଠୀ ଗଠନ କରିବା ପରେ ଏଭଳି କିଛି କାମ ହାତକୁ ନେଇଛନ୍ତି । ମୁଢ଼ି ସନ୍ତୁଳା ଓ ନାସ୍ତା ପ୍ୟାକେଟର ଅଧିକ ଚାହିଦା ରହିଥିବାରୁ ଏହାକୁ ରୋଜଗାରର ମାଧ୍ୟମ କରିଛନ୍ତି । ଯେବେଠୁ ମହିଳା ମାନେ ଏହି କାମକୁ ଆପଣାଇଛନ୍ତି ସେବେଠାରୁ ସେମାନେ ଆଉ ନିଜ ଖର୍ଚ୍ଚ ପାଇଁ ପୁରୁଷଙ୍କ ଉପରେ ନିର୍ଭର କରୁନାହାନ୍ତି । ବିକ୍ରି ବଟା ନେଇ ସେତେଟା ପ୍ରଚାର ପ୍ରସାର ହୋଇନଥିଲେ ମଧ୍ୟ ମହିଳାଙ୍କ ହାତ ତିଆରି ନାସ୍ତା କିଣିବାକୁ ଲୋକଙ୍କ ଆଗ୍ରହ ବଢ଼ୁଛି । କାରଣ ଏଥିରେ କୌଣସି ଅପମିଶ୍ରଣ ହେଉନଥିବାରୁ ଲୋକମାନେ ଆଗ୍ରହର ସହ କିଣି ନେଉଛନ୍ତି ।

ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ସାମଗ୍ରୀ ବେଶ ସ୍ୱାଦିଷ୍ଟ ହୋଇଥିବା ବେଳେ ଗ୍ରାହକଙ୍କ ମନ ଜିଣୁଛି । ଏହି ସବୁ ଜିନିଷ ବିକ୍ରି କରି ମହିଳା ମାନେ ସ୍ୱାବଲମ୍ବୀ ହୋଇପାରୁଛନ୍ତି । ସରକାରୀ ସ୍ତରରେ ଏହାକୁ ବିକ୍ରି କରିବା ପାଇଁ ବ୍ୟବସ୍ଥା କରାଗଲେ ସେମାନେ ଆହୁରି ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ।