ଗଣତି ପରେ ଆସିଲା ରୋଚକ ଚିତ୍ର: ହାରିଲେ ବିଧାୟକଙ୍କ ପୁଅ, ଜିତିଲେ ମମିତା ମେହେରଙ୍କ ବଡ ବାପା

356

କନକ ବ୍ୟୁରୋ: ତିନି ଦିନର ଭୋଟ ଗଣତି ପରେ କେତେକ ରୋଚକ ଚିତ୍ର ସାମନାକୁ ଆସିଛି । ନିର୍ବାଚନଳ ପ୍ରକ୍ରିୟା ଆରମ୍ଭରୁ ଚର୍ଚ୍ଚାରେ ଥିବା କିଛି ଚେହେରା ବିଜୟୀ ହୋଇଥିବାବେଳେ ଆଉ କିଛି ନେତା ପରାଜୟବରଣ କରିଛନ୍ତି । ଆଉ ସେମାନଙ୍କୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି ।

ବିଶ୍ୱଜିତ୍ ଦାସ । ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ପୁଅ । ସାରାରାଜ୍ୟରେ ଯେତେବେଳେ ବିଜେଡିର ସୁନାମି ବହୁଛି, ଗାଁ ଗାଁରୁ ଶାସକ ଦଳ ସପକ୍ଷରେ ଜନମତ ଯାଉଛି, ସେତିକିବେଳେ ଭୋଗରାଇ ବ୍ଲକ ସିଆଁରୋଇ ପଂଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିବା ବିଶ୍ୱଜିତ ୮୮ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି ।

ବାଲେଶ୍ୱର ଜିଲ୍ଲାର ମୋଟାମୋଟି ବିଜେଡି ଭଲ ପ୍ରଦର୍ଶନ କରିଥିଲେ ବି ମନ୍ତ୍ରୀ ତଥା, ସିମୁଳିଆ ଖଇରା ବିଧାୟକ ଜ୍ୟୋତି ପାଣିଗ୍ରାହୀଙ୍କ ଅଂଚଳରେ ଶାସକ ଦଳକୁ କଡା ଟକ୍କର ଦେଇଛି ବିଜେପି । ଦୁଇ ଦିନର ଗଣତିର ଫଳାଫଳ ଅନୁସାରେ ବିଜେପି -୨ଟି ଜିଲ୍ଲାପରିଷଦ ଆସନ ଦଖଲ କରିଥିବାବେଳେ ବିଜେଡି- ଖାତାକୁ ଯାଇଛି ୨ଟି ଆସନ । ଅନ୍ୟ ଦୁଇଟି ଆସନରେ ମଧ୍ୟ କଡା ଟକ୍କର ଦେଇଛନ୍ତି ।

୨୦୧୯ରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିବା ୨୨ ବିଜେପି ବିଧାୟକଙ୍କ ଅଂଚଳରେ ବଦଳିଯାଇଛି ରାଜନୈତିକ ଚିତ୍ର । ବିଜେପି ବିଧାୟକମାନେ ଏଥର ନିଜ ଗଡକୁ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ଅଧିକାଂଶ ବିଧାୟକଙ୍କ ଅଂଚଳରେ ଶାସକ ଦଳର ପ୍ରାର୍ଥୀ ଜିଲ୍ଲାପରିଷଦ ଆସନ ଦଖଲ କରିଛନ୍ତି ।

ନିର୍ବାଚନ ଫଳାଫଳ ଆସିବା ପରେ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି ମମିତା ମେହେରଙ୍କ ବଡବାପା କୌଶିକ ମେହେର । ସାରାରାଜ୍ୟରେ ବିଜେଡି ଜବରଦସ୍ଥ ପ୍ରଦର୍ଶନ କରୁଥିଲେ ବି କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା, କୌଶିକ ତୁରେଇକେଲା ବ୍ଲକ ୧୧ ନମ୍ବର ଜୋନ ଜିଲ୍ଲାପରିଷଦ ଆସନରୁ ବିଜୟୀ ହୋଇଛନ୍ତି । କଳାହାଣ୍ଡି ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପରେ କୌଶିକ ଏହି ମାମଲାକୁ ପ୍ରଥମେ ଗଣମାଧ୍ୟମ ସାମନାକୁ ଆଣି ଚର୍ଚ୍ଚାକୁ ଆସିଥିଲେ ।