ବାଉଁଶଘେରା ମାଟି ଘରେ ଚାଲିଛି ଭୋଗରାଇ ଜଳଧା ଅଙ୍ଗନବାଡି କେନ୍ଦ୍ର । ବିପଦ ସଙ୍କୁଳ ଅବସ୍ଥାରେ ପାଠପଢୁଛନ୍ତି କୁନି କୁନି ପିଲା

54

କନକ ବ୍ୟୁରୋ : ଅଧିକାରୀ ବସିବେ ପକ୍କା ଘରେ, ମୁଭିଂ ଚେୟାରରେ । କୁନି କୁନି ପିଲା ବସିବେ ଝାଟିମାଟିର ଘରେ, ମାଟି ପିଣ୍ଡାରେ । ବାଉଁଶ ବତାର କାନ୍ଥ ଦିଆଯାଇଥିବା ମାଟି ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ଗୋଟିଏ ପଟେ କୁନି କୁନି ଶିଶୁ ବସିଥିବା ବେଳେ ଅନ୍ୟପଟେ ଗ୍ୟାସରେ ରୋଷେଇ ଚାଲିଛି । ଆଉ ରୋଷେଇ କରୁଛନ୍ତି, ପିଲାଙ୍କ ପ୍ରାଥମିକ ଶିକ୍ଷାର ମୁଳଦୁଆ ପକାଇବା ପାଇଁ ନିଯୁକ୍ତ ହୋଇଥିବା ଅଙ୍ଗନୱାଡି କର୍ମୀ । ଏଭଳି ଅବ୍ୟବସ୍ଥାରେ ଚାଲିଛି ବାଲେଶ୍ୱର ଭୋଗରାଇ ବ୍ଲକ ଜଳଧା ମିନି ଅଙ୍ଗନବାଡି କେନ୍ଦ୍ର    ।

ଦିନେ କି ଦୁଇ ଦିନ ନୁହେଁ, ୫ ବର୍ଷ ହେଲା ଅଙ୍ଗନବାଡି ଦିଦିଙ୍କ ଘର ପିଣ୍ଡାରେ ଚାଲିଛି କେନ୍ଦ୍ର । ମଡେଲ ଅଙ୍ଗନବାଡି କେନ୍ଦ୍ରର କଥା କହୁଛନ୍ତି । କିନ୍ତୁ ଜଳଧା ମିନି ଅଙ୍ଗନବାଡି କେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କୁନି କୁନି ପିଲାଙ୍କ ପାଇଁ ସ୍ଥାୟୀ ଘରଟିଏ ନାହିଁ । ଏଥିପ୍ରତି କାହାରି ନଜର ନାହିଁ । ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ବେଳେ ସିଡିପିଓ କହିଛନ୍ତି, ପିଲା ଅସୁରକ୍ଷିତ ସ୍ଥାନରେ ନାହାନ୍ତି ।

ଅଙ୍ଗନବାଡିର ନିଜସ୍ୱ ଘର ନାହିଁ କି ପିଲାଙ୍କ ପାଇଁ ରୋଷେଇ କରିବାକୁ ରୋଷେୟା ନାହାନ୍ତି । ତେଣୁ ପିଲାଙ୍କୁ ପଢାଇବା ସହ ରୋଷେଇ ଓ ସବୁ କାମ ଏକା କରୁଛନ୍ତି ଅଙ୍ଗନବାଡି କର୍ମୀ ଝୁମୁରି ବେହେରା ।