କନକ ବ୍ୟୁରୋ: ବାଲେଶ୍ଵର ସରଗରମ ରାଜନୈତିକ ମାହୋଲ୍। ୧୬ ତାରିଖରୁ ଆରମ୍ଭ ହେବ ମତଦାନ ପ୍ରକ୍ରିୟା। ସେଥିପାଇଁ ଅଧିକ ଫୋକସରେ ଭୋଗରାଇ ଓ ଜଳେଶ୍ଵର । ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ଅଞ୍ଚଳରେ ବିଜେପି ଖାତା ଖୋଲି ପାରିନଥିଲା। ୨୦୧୭ରେ ଜିଲ୍ଲା ପରିଷଦ ସଭାପତି ଭୋଗରାଇ ଅଞ୍ଚଳରୁ ହୋଇଥିଲେ। ତେବେ ନିଜ ନିଜ ଅଞ୍ଚଳର ଦାୟିତ୍ଵରେ ବିଧାୟକମାନେ। ମାରାଥନ ପ୍ରଚାର ସହ ଚାଲିଛି ଜିତିବା ପାଇଁ ରଣନୀତି।

Advertisment

ବାଲେଶ୍ୱରରେ ନେତାଙ୍କ ମଧ୍ୟରେ ଛକାପଂଝା । ପ୍ରଚାର ମୈଦାନରେ ଶକ୍ତି ପ୍ରଦର୍ଶନ । ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ଅନ୍ୟ ସବୁ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇ ସମ୍ମାନ ବଂଚାଇବାକୁ ପ୍ରାଣପଣେ ଉଦ୍ୟମ କରୁଛନ୍ତି ପ୍ରଚାର ମଙ୍ଗ ଧରିଥିବା ନେତା । ବିଜେଡିର ରବୀନ୍ଦ୍ର ଜେନା, ବିଜେପିର ସାଂସଦ ପ୍ରତାପ ଷଡଙ୍ଗୀ ଓ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ମଧ୍ୟରେ ଚାଲିଛି କଡା ଟକ୍କର । ସବୁଠୁ ଅଧିକ ଚ୍ୟାଲେଂଜ ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପାଇଁ । କାରଣ ଗତଥର ୪୫ଟି ଜିଲ୍ଲା ପରିଷଦ ଆସନରୁ ୧୩ଟିରେ ସୀମିତ ରହିଥିଲା ଦଳ । ଏଥର ଅଧିକ ଆସନରେ ବିଜୟୀ ହୋଇ ବିଜେପି ଅଧ୍ୟକ୍ଷ ପଦ ଦଖଲ କରିବେ ବୋଲି ଦାବି କରିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ ।

ଅନ୍ୟପଟେ ରାଜ୍ୟ ସରକାରଙ୍କ ବହୁମୁଖୀ ଯୋଜନା ସାଙ୍ଗକୁ କେନ୍ଦ୍ର ସରକାରଙ୍କ ବିଫଳତା କହି ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି ବିଜେଡି ପ୍ରାର୍ଥୀ ଓ ନେତା । ଅନ୍ୟ ନିର୍ବାଚନ ଭଳି ଚଳିତ ପଂଚାୟତ ନିର୍ବାଚନରେ ବିଜେଡି ପ୍ରତି ଲୋକଙ୍କ ବିପୁଳ ସମର୍ଥନ ରହିବ, ଏଥର ଆହୁରି ଅଧିକ ସିଟ୍ ହାତେଇ ବାଲେଶ୍ୱରରେ ଦଳ ରେକର୍ଡ କରିବ ବୋଲି ଦୃଢୋକ୍ତି କରିଛନ୍ତି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ।

ଦିନେ କଂଗ୍ରେସ ଗଡ ଭାବେ ପରିଚିତ ଥିବା ବାଲେଶ୍ୱରରେ ତାର ସମସ୍ତ ବଳ ଲଗାଇଛି ଦଳ । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ସାଂସଦ ପ୍ରାର୍ଥୀ ରହିଥିବା ନବଜ୍ୟୋତି ପଟ୍ଟନାୟକ ଦଳର ମଙ୍ଗ ଧରିଛନ୍ତି । ଆସନ୍ତା ୧୬ ତାରିଖରେ ଜଳେଶ୍ୱର ଓ ଭୋଗରାଇରେ ମତଦାନ ହେବ । ବିଜେଡି ପକ୍ଷରୁ ସବୁ ବିଧାୟକ ନିଜ ନିଜ ଅଂଚଳ ଉପରେ କଡା ନଜର ରଖିଥିବା ବେଳେ ବିଜେଡି-ବିଜେପି ଭିତରେ କଡା ଟକର ହେବା ନେଇ ଚର୍ଚ୍ଚା ହେଉଛି ।