ସଭା ଭିତରେ ଯୁବକଙ୍କୁ ନିର୍ଦ୍ଧୁମ ପିଟିଲେ ବିଧାୟକ, କାହିଁକି ଜାଣନ୍ତୁ

216

କନକ ବ୍ୟୁରୋ : ଆମେ ଆମ ସମ୍ବିଧାନକୁ ନଜର କଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଏ ଦେଶର ମାଲିକ ହେଉଛନ୍ତି ଦେଶର ନାଗରିକ । ଆଉ ନେତାମାନେ ହେଉଛନ୍ତି ସେମାନଙ୍କ ପ୍ରତିନିଧୀ । ଏହି ଦୃଷ୍ଟିରୁ ଜଣେ ମାଲିକ ତାର ସୁବିଧା ଅସୁବିଧା ନେଇ ନେତାଙ୍କୁ ପ୍ରଶ୍ନ କରିବାର କ୍ଷମତା ଆମ ସମ୍ବିଧାନ ଆମକ ପ୍ରଦାନ କରିଛି । ହେଲେ ପଞ୍ଜାବର ଜଣେ ବିଧାୟକଙ୍କ କାରନାମା ଦେଖିଲେ ଆପଣ ଭାବିବାକୁ ବାଧ୍ୟ ହେବେ ଯେ ଆମ ସମ୍ବିଧାନ ଆମକୁ ଦେଇଥିବା ଅଧିକାରକୁ କିଭଳି ନେତାମାନେ କ୍ଷମତା ଓ ଅର୍ଥ ବଳରେ ପାଦରେ ଦଳି ଚକଟି ଦେଉଛନ୍ତି ।

ସୂଚନା ମୁତାବକ ଜଣେ ନାଗରିକ ଏକ ସଭାରେ ବିଧାୟକଙ୍କ ପ୍ରଶ୍ନ କରିବାରୁ ବିଧାୟକ ଜଣଙ୍କ ଏତେ ରାଗି ଯାଇଥିଲେ ଯେ ସଭା ସ୍ଥଳରେ ଯୁବକଙ୍କୁ ନିଜେ ପ୍ରବଳ ପିଟିଥିଲେ । ଏଭଳି ଖବର ଆସିଛି ପଞ୍ଜାବର ଭୋଆ ବିଧାନସଭା ମଣ୍ଡଳୀରୁ । ଏଠିକାର ବିଧାୟକ ଏଭଳି କାଣ୍ଡ କରିଛନ୍ତି ଯେ ପୁଣିଥରେ ପଞ୍ଜାବ କଂଗ୍ରେସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଭୋଆ ବିଧାନସଭାର ବିଧାୟକ ଯୋଗୀନ୍ଦର ପାଲ ଏକ ସଭାରେ ଭାଷଣ ଦେଉଥିବା ବେଳେ ଜଣେ ଯୁବକ ପ୍ରଶ୍ନ ଆଳରେ ବିଧାୟକଙ୍କୁ ପଚାରିଥିଲେ କି ଆପଣ ଆମ ଗାଁ ପାଇଁ କ’ଣ କରିଛନ୍ତି ? ଏଭଳି ପ୍ରଶ୍ନରେ ବିଚଳିତ ହୋଇପଡିଥିଲେ ବିଧାୟକ ଓ ଏହାପରେ ସେହି ସଭାରେ ବିଧାୟକ ଯୁବକ ଜଣଙ୍କୁ ନିର୍ଦ୍ଧୁମ ପିଟିଥିଲେ । କେବଳ ସେତିକି ନୁହେଁ ବିଧାୟକଙ୍କ ସହ ପୋଲିସ ବି ଯୁବକଙ୍କୁ ପ୍ରବଳ ପିଟିଛନ୍ତି ବୋଲି କୁହାଯାଇଛି । ଏହି ମାଡପିଟର ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ନବରାତ୍ର ଦିନ ବୋଲି କୁହାଯାଉଛି ।