ସଂରକ୍ଷଣ ଜଙ୍ଗଲରେ ନିୟମ କୁ ଫୁ ! ଭିତରକନିକାରେ ଭଡାରେ ଲାଗିଛି ଘର, ମାସିକ ଆଦାୟ ହେଉଛି ୨୦ ହଜାର ଭଡା

275

କନକ ବ୍ୟୁରୋ : ଭିତରକନିକା ସଂରକ୍ଷିତ ଜଙ୍ଗଲରେ ନୀତି ନିୟମକୁ ଉଲ୍ଲଂଘନ କରି ନିର୍ମାଣ ହୋଇଛି କୋଠା। ଏବେ ଏହି ବେଆଇନ ନିର୍ମାଣ ପଛରେ ଥିବା ସାଂଘାତିକ ସତ୍ୟ ସାମ୍ନାକୁ ଆସିଛି। ନଦୀ ଜୁଆର ଅଟକାଇ ଭିତରକନିକାରେ ନିର୍ମାଣ ହୋଇଥିବା କୋଠା ପିଣ୍ଡିକୁ ଭଡ଼ାରେ ଲଗାଯାଇଛି। ୧୨ ଜଣଙ୍କ ଠାରୁ ୧୬ ଲକ୍ଷ ୫୦ ହଜ଼ାର ଟଙ୍କା ଡୋନେସନ ନିଆଯାଇଥିବା ବେଳେ ସେମାନଙ୍କ ଠାରୁ ମାସିକ ୧୯ ହଜ଼ାର ୫ଶହ ଟଙ୍କା ଭଡା ଆଦାୟ କରାଯାଉଛି ବୋଲି ଭଡା ନେଇଥିବା ମାଛ ବ୍ୟବସାୟୀ ସୂଚନା ଦେଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଖୋଳତାଡ଼ ପରେ ବନ ବିଭାଗ ଓ ରାଜସ୍ୱ ବିଭାଗ ସକ୍ରିୟ ହୋଇ ଉଠିଛନ୍ତି।

ଭିତରକନିକା ଭିତରେ ଓ ନଦୀ ପଠାରେ ବେଆଇନ ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କ ଖୋଳତାଡ଼ ଚାଲିଥିବା ବେଳେ ବନ ବିଭାଗ ଓ ରାଜସ୍ବ ବିଭାଗ ସକ୍ରିୟ ହୋଇ ଉଠିଛନ୍ତି। ମାଛ ବିକ୍ରି ପାଇଁ ବେଆଇନ ଭାବେ ୧୨ ଟି ପିଣ୍ଡି ଓ ମାଛ ବ୍ୟବସାୟୀ ମାନଙ୍କ ରହଣି ପାଇଁ ୫ଟି ଘର ନିର୍ମାଣ କରାଯାଇଛି। ପିଣ୍ଡି ପିଛା ୧ ଲକ୍ଷ ୨୫ ହଜ଼ାର ଟଙ୍କା ହିସାବରେ ୧୨ ଜଣଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଆଦାୟ କରାଯାଇଛି। ସେମାନଙ୍କ ଠାରୁ ମାସିକ ଏକ ହଜ଼ାର ଟଙ୍କା ଭଡ଼ା ନିଆଯାଉଛି। ପ୍ରତ୍ୟେକ ଘର ପିଛା ୩୦ ହଜ଼ାର ଟଙ୍କା ଡୋନେସନ ନିଆଯାଇଛି ଓ ମାସିକ ୨ହଜ଼ାର ୫ଶହ ଟଙ୍କା ଭଡ଼ା ନିଆଯାଉଛି। ମା’ ଗଙ୍ଗା ମାତା କମିଟି ପକ୍ଷରୁ ପାଣି ଓ ବିଦ୍ୟୁତ ଯୋଗାଇ ଦିଆଯାଇଛି। କମିଟିର ସମ୍ପାଦକ ମଦନ ଦେବନାଥଙ୍କ ହେପାଜତରେ ଏହି ପିଣ୍ଡି ଓ ଘର ରହିଛି ବୋଲି ଭଡା ନେଇଥିବା ମସ୍ୟଜୀବୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ରାଜନଗର ବ୍ଲକ ତାଳଚୁଆ ନିକଟରେ ବୈତରଣୀ ନଦୀ ପଠା ଓ  ଭିତରକନିକା ମଧ୍ୟରେ ନିର୍ମାଣ ହୋଇଛି ପ୍ରାୟ ଅଧ କୋଟିର ଟଙ୍କାର କୋଠା। ନଦୀ ମଧ୍ୟରେ ଥିବା ବିରଳ ଲୁଣା ଜଙ୍ଗଲର ବନି ଓ ରାଇ ଗଛକୁ କାଟି ସଫା କରି ଦିଆଯାଇଛି। ନଦୀର ଜୁଆରକୁ ଅଟକାଯାଇ ପାଇଲିଙ୍ଗ କରି ପିଲାର ଉଠାଇ ପାଚେରି ନିର୍ମାଣ କରାଯାଇଛି। ପାଚେରି ଭିତରେ ଓ ନଦୀ ଭିତରେ ୫ ଟି ଘର ନିର୍ମାଣ କରାଯାଇଛି। ନଦୀ ପଠାରେ ବୋରିଂ କରି ପମ୍ପ ହାଉସ ନିର୍ମାଣ କରାଯାଇଛି। ପିଣ୍ଡି ଓ ଘରକୁ ଭଡାରେ ଲଗାଯାଇଛି। ପିଣ୍ଡି ନିକଟକୁ ଯିବା ପାଇଁ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି। ବର୍ଷକ  ବାର ମାସ ନିଷିଦ୍ଧ ଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରୁ ଟ୍ରଲର ଗୁଡିକ ବେଆଇନ ଭାବେ ମାଛ ଧରି ଭିତରକନିକା ଭିତରେ ଚାଲିଥିବା ବେଆଇନ ମାଛ ହାଟରେ ବିକ୍ରି କରୁଛନ୍ତି। ଭିତରକନିକାର ଅତି ସମ୍ବେଦନଶୀଳ ଅଞ୍ଚଳରେ ଏହି ବେଆଇନ ମାଛ ହାଟ ଚାଲିଥିଲେ ମଧ୍ୟ ବନବିଭାଗ ସବୁ ଦେଖି ଚୁପ ବସିଛି। ଏ ନେଇ ଗତ ଅଗଷ୍ଟ ମାସରେ ଖବର ପ୍ରକାଶ ପାଇବା ପରେ ବନବିଭାଗ ଗଙ୍ଗା ମାତା ଫିସରୀ ଆସୋସିଏସନର ସଭାପତି ଓ ସମ୍ପାଦକ ଏବଂ ତାଳଚୁଆ ବନପାଳଙ୍କୁ ନୋଟିସ ଦେଇ ନିଜର କର୍ତ୍ତବ୍ୟ ସାରିଦେଇଛି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ତନାଘନା ହେବା ପରେ ଏହି ପ୍ରସଙ୍ଗ ଏବେ ଜୋର ଧରିଛି।