କରୋନା କାଳରେ ଦୁର୍ବିସହ ହୋଇପଡିଛି ବୋଟ ଚାଳକଙ୍କ ଜୀବନ । ଭିତରକନିକାରେ ରୋଜଗାରର ପନ୍ଥା ହରାଇଛନ୍ତି ବୋଟ ଚାଳକ ଓ ମାଲିକ ।

54

କନକ ବ୍ୟୁରୋ: ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀର ତ୍ରିକୋଣ ଭୂମିରେ ଅବସ୍ଥିତ ଭିତରକନିକା ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ । ଭିତରକନିକା ଆସୁଥିବା ପର୍ଯ୍ୟଟକମାନେ ଜଳପଥରେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତି । ପର୍ଯ୍ୟଟନ କ୍ଷେତ୍ର ଉପରେ ନିର୍ଭରଶୀଳ ଲୋକେ ପର୍ଯ୍ୟଟକଙ୍କୁ ବୋଟ ଯୋଗେ ନେଇ ଦୁଇ ପଇସା ରୋଜଗାର କରନ୍ତି । କିନ୍ତୁ ଗତବର୍ଷ ଠାରୁ ଚଳିତ ବର୍ଷ ଯାଏଁ କରୋନା ମହାମାରୀ ଯୋଗୁଁ ବିଶେଷ ଭାବରେ ବୋଟ ଚଳାଉଥିବା ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । ରାଜନଗର ବ୍ଲକର ଖୋଳା ଠାରେ ୨୧ଟି ବେସରକାରୀ ବୋଟ ଥିବା ବେଳେ ଗୁପ୍ତିରେ ୧୧ଟି ବୋଟ ରହିଛି । ଏହି ୩୨ଟି ବୋଟ ମାଲିକ ଓ ବୋଟରେ କାମ କରୁଥିବା କର୍ମଚାରୀ ଦୀର୍ଘଦିନ ହେଲା କାମ ହରାଇ ବସିଛନ୍ତି ।

କୁମ୍ଭୀର ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ’୧ରୁ ଜୁଲାଇ ୩୧ ତାରିଖ ୩ମାସ ଧରି ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥାଏ । କରୋନା ମହାମାରୀ ପାଇଁ ଗତବର୍ଷ ମାର୍ଚ୍ଚ ମାସରୁ ସେପ୍ଟେମ୍ବର ଯାଏଁ ଭିତରକନିକା ବନ୍ଦ ରହିଥିଲା । ଅକ୍ଟୋବର ୧ରୁ କେବଳ ରାତ୍ରୀ ଯାପନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଖୋଲିଥିଲା । ଅକ୍ଟୋବର ୧୯ରୁ ଦିନ ଓ ରାତି ପର୍ଯ୍ୟଟକ ମିଶି ଦୈନିକ ୫ଶହ ପର୍ଯ୍ୟଟକ ପାଇଁ ଅନୁମତି ମିଳିଥିଲା ।

ଏହାପରେ ପୁଣି ଚଳିତ ବର୍ଷ ମାର୍ଚ୍ଚ ମାସଠାରୁ ଏହି ପର୍ଯ୍ୟଟନସ୍ଥଳ ବନ୍ଦ ହୋଇଥିବା ବେଳେ ଏବେ ପ୍ରଜନନ ଋତୁ ପାଇଁ ବନ୍ଦ ରହିଛି ଭିତରକନିକା । ଫଳରେ ରୋଜଗାରର ପନ୍ଥା ହରାଇ ହରାଇ ବସିଛନ୍ତି ବୋଟ କର୍ମଚାରୀ ଓ ମାଲିକ । ସେପଟେ ସରକାରଙ୍କ ଗାଇଡ ଲାଇନ ଆସିଲେ ଭିତରକନିକା ଖୋଲିବ କି ନାହିଁ, ସେ ନେଇ ନିଷ୍ପତ୍ତିି ନିଆଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଭିତର କନିକାକୁ ଆସୁଥିବା ପର୍ଯ୍ୟଟକମାନେ ଗୁପ୍ତି, ଖୋଳା, ଜୟନଗର ଓ ଚାନ୍ଦବାଲିରୁ ଜଳପଥରେ ଭିତରକନିକା ପରିଭ୍ରମଣରେ ଯାଇଥାନ୍ତି । କିନ୍ତୁ ପାଖାପାଖି ୨ବର୍ଷ ହୋଇଯିବ କରୋନା କାଳ ଯୋଗୁଁ ଠପ୍ ହୋଇଯାଇଛି ରୋଜଗାରର ପନ୍ଥା ।