କନକ ବ୍ୟୁରୋ : ଭବାନୀପାଟଣାବାସୀଙ୍କ ଭରସା ଜିତିବ କିଏ । କାହା ସପକ୍ଷରେ ଜନମତ ଦେବେ ଭବାନୀପାଟଣା ଭୋଟର । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବିଧାନସଭା ଆସନ ହାତେଇବା ପାଇଁ ଏବେ ତିନି ଦଳ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି । ଚଳିତଥର ଏହି ଆସନରେ ଏକ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ୪ଟି ନିର୍ବାଚନରେ ରାଜ୍ୟର ୩ ପ୍ରମୁଖ ଦଳକୁ ବିଜୟ ଧ୍ୱଜା ଉଡାଇବାକୁ ଭବାନୀପାଟଣାବାସୀ ସୁଯୋଗ ଦେଇଥିବା ବେଳେ ଚଳିତ ଥର ଭବାନୀପାଟଣାରେ କାହାର ପଲା ଭାରି ରହିବ ତାହାକୁ ନେଇ  ଉଷ୍ମ ହୋଇଛି ରାଜ୍ୟ ରାଜନୀତି ।

Advertisment

ଭବାନୀପାଟଣା ବ୍ଲକ ଓ କେସିଙ୍ଗା ବ୍ଲକର କିଛି ଅଂଶକୁ ନେଇ ଗଠନ ହୋଇଛି ଭବାନୀପାଟଣା ନିର୍ବାଚନମଣ୍ଡଳୀ । ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଏହି ଆସନରେ ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅନାମ ନାଏକ ପ୍ରଥମ ଥର ବିଜେଡିକୁ ବିଜୟ ଭେଟି ଦେଇଥିଲେ । ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦୁଷ୍ମନ୍ତଙ୍କୁ କଡା ଟକ୍କର ଦେଇ ବିଜୟ ଧ୍ୱଜା ଉଡାଇଥିଲେ ଅନାମ । କିନ୍ତୁ ପରିବର୍ତ୍ତୀ ସମୟରେ ପ୍ରତିଦ୍ୱନ୍ଦୀ ଦୁଷ୍ମନ୍ତ ବିଜେଡିରେ ଯୋଗଦେବା ସହ ଅନାମଙ୍କ ଦଳୀୟ ବନ୍ଧୁ ପାଲଟିଛନ୍ତି । ଆଉ ଏହାସହ ଆସନ୍ତା ନିର୍ବାଚନରେ ଦୁଷ୍ମନ୍ତଙ୍କୁ ଦଳୀୟ ପ୍ରାର୍ଥୀ କରିବାକୁ ଯୋଜନା କରାଯାଉଥିବା ଚର୍ଚ୍ଚା ହେଉଛି । ଯାହା ବର୍ତ୍ତମାନ ବିଧାୟକ ଥିବା ଅନାମ ନାଏକଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଦଳରେ ଅନ୍ୟ ବିକଳ୍ପ ଭାବରେ ଦୁଷ୍ମନ୍ତଙ୍କ ପତ୍ନୀ ଲଳିତା ନାଏକଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଓ ମଣ୍ଟୁ ନାଏକଙ୍କୁ ପ୍ରାର୍ଥୀ କରି ଯୁବକ କାର୍ଡ ମଧ୍ୟ ଖେଳିପାରେ ବୋଲି ସମର୍ଥକ ମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ବିଜେଡିରେ ଭବାନୀଶଙ୍କର ନିଆଲ, ଚକ୍ରଧର ସେଠୀ, ଅଶେଶ୍ବର ବାଗ, ବସନ୍ତ ନାଏକ, ହେମନ୍ତ ନାଏକ ପ୍ରମୁଖ ମଧ୍ୟ ଏହି ରେସରେ ଅଛନ୍ତି।

ସେହିଭଳି ବିଜେପି ଦଳରେ ବିଧାୟକ ପ୍ରାର୍ଥୀ ପାଇଁ ଅନିଶ୍ଚିତତା ଲାଗି ରହିଛି। ଗତଥର ସାଂସଦ ପ୍ରାର୍ଥୀ ଥିବା ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାଏକଙ୍କୁ ଦଳ ପକ୍ଷରୁ ସଦର ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ କରି ସାଂସଦ ପ୍ରାର୍ଥୀ ଭାବରେ କଳାହାଣ୍ଡି ମହାରାଣୀ ପଦ୍ମଜାମଞ୍ଜରୀ ଦେଓଙ୍କୁ ନିର୍ବାଚନରେ ଆଣି ରାଜ ପରିବାର କାର୍ଡ ଖେଳିବାକୁ ଦଳ ପକ୍ଷରୁ ବିଚାର ବିମର୍ଶ ଚାଲିଛି।ଏହା ପୂର୍ବରୁ ପ୍ରଦୀପ୍ତ ଦୁଇ ଦୁଇ ଥର ଏହି ଆସନରେ ଗେରୁଆ ବାନା ଉଡାଇ ସାରିଥିବାରୁ ସେ ଦଳ ପାଇଁ ସବୁଠୁ ଭରସାଯୋଗ୍ୟ ପ୍ରାର୍ଥୀ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଗତ କିଛିଦିନ ତଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସଭାରେ ଏହାର ଝଲକ ଦେଖିବାକୁ ମିଳିଥିଲା। ଯଦି ପ୍ରଦୀପ୍ତଙ୍କୁ ସାଂସଦ ପ୍ରାର୍ଥୀ କରାଯାଏ ତାହେଲେ ଦଳ ପକ୍ଷରୁ ଦୟାନିଧି ନାଏକ, ରୋହିତ ଦୁର୍ଗା ପ୍ରମୁଖ ଏହି ରେସରେ ଅଛନ୍ତି।

କଂଗ୍ରେସ ଦଳ ତରଫରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ନିଜ ପୁଅ ସାଗର ଚରଣ ଦାସଙ୍କୁ ସଦର ବିଧାନସଭା ପ୍ରାର୍ଥୀ କରି ରାଜନୀତି ମଇଦାନରେ ପୁଅକୁ ବ୍ରେକ ଦେବା ପାଇଁ ଅଣ୍ଟା ଭିଡିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ସଭାପତି ଭାରତଭୂଷଣ ବେମାଲ ଓ ଦେବୀ ପ୍ରସାଦ ସିନ୍ଦୁର, ପ୍ରଶାନ୍ତ ନାଏକ, ସାମନ୍ତ ଖମାରୀ ମଧ୍ୟ ଏହି ରେସରେ ଅଛନ୍ତି। ତେବେ କଂଗ୍ରେସ ଟିକେଟ ପାଇଁ ଭକ୍ତଙ୍କ ଇସାରାକୁ ଅପେକ୍ଷା କରାଯାଇଥିବା ଚର୍ଚ୍ଚା ହେଉଛି ।

ତିନି ଦଳରେ ନୂଆ ପ୍ରାର୍ଥୀ ଖୋଜିବା ଅନାମ ନାଏକଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ଅନାମ ଏବେ ବିଜେଡି ଜିଲ୍ଲା ପ୍ରଭାରୀ ନିରଞ୍ଜନ ପୁଝାରୀଙ୍କ ଗୁଡବୁକରେ ଥିବା ଯୋଗୁଁ ଏହାକୁ ଆୟୁଧ କରିବା ପାଇଁ ରଣନୀତି ଆରମ୍ଭ କରିଛନ୍ତି। ଗୋଟିଏ ପଟେ ଶାସକ ବିଧାୟକ ଓ ଅନ୍ୟପଟେ କଂଗ୍ରେସରୁ ଆସି ଯୋଗଦେଇଥିବା ଦୁଷ୍ମନ୍ତଙ୍କ ମଧ୍ୟରେ ଟିକେଟ ପାଇଁ ଦୌଡ ଆରମ୍ଭ ହୋଇଛି।

ସଦର ନିର୍ବାଚନ ମଣ୍ଡଳୀରେ ପ୍ରସଙ୍ଗ ଅପେକ୍ଷା ଦଳୀୟ ପ୍ରାର୍ଥୀଙ୍କୁ ଅଧିକ ଗୁରୁତ୍ବ ଦେବା ବିଷୟ ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଏହି ଆସନରେ ପ୍ରତିଥର ବିଧାୟକ ଚୌକିରେ ଭିନ୍ନ ଭିନ୍ନ ଦଳର ପ୍ରାର୍ଥୀ ବସୁଥିବାରୁ ଚଳିତଥର ଏଠାରେ ଭୋଟର କାହାକୁ ଭରସାର ଭୋଟ ଦେଇ ବିଧାୟକ ନିର୍ବାଚିତ କରିବେ ତାହା ଉପରେ ରହିବ ସମସ୍ତଙ୍କର ନଜର ।