ଭବାନୀପାଟଣାରେ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ନିର୍ମାଣ ପ୍ରସଙ୍ଗ । ବେଦାନ୍ତ ସହ ଏମ୍‌ଓୟୁ ବାତିଲ କଲେ ରାଜ୍ୟ ସରକାର ।

283

କନକ ବ୍ୟୁରୋ : ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ନିର୍ମାଣ ନେଇ ବେଦାନ୍ତ ସହ ହୋଇଥିବା ଏମ୍‌ଓୟୁକୁ ରାଜ୍ୟ ସରକାର ବାତିଲ କରି ଦେଇଛନ୍ତି । ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭରେ ମାତ୍ରାଧିକ ବିଳମ୍ବ ହୋଇଥିବାରୁ ରାଜ୍ୟ ସରକାର ଏହି ଏମ୍‌ଓୟକୁ ବାତିଲ କରିଦେଇଛନ୍ତି ।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ବେଦାନ୍ତ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ୨୦୧୮ ମାର୍ଚ୍ଚ ୨୭ରେ ଏମ୍‌ଓୟୁ (ବୁଝାମଣାପତ୍ର ସ୍ବାକ୍ଷରିତ) ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଡିଏମ୍‌ଇଟିର ନିର୍ଦେଶକ ପ୍ରଫେସର ସୋନାମାଲି ବାଗ୍‌ ଓ ବେଦାନ୍ତ ପକ୍ଷରୁ କର୍ପୋରେଟ୍‌ ଷ୍ଟ୍ରାଟେଜି ନିର୍ଦେଶକ ରାହୁଲ ଶର୍ମା ଏହାକୁ ସ୍ୱାକ୍ଷର କରିଥିଲେ। ୫ ଶହ ଶଯ୍ୟା ବିଶିଷ୍ଟ ଏହି ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବାର ଯୋଜନା ଥିଲା। ଯାହାଦ୍ୱାରା କଳାହାଣ୍ଡି ଓ ଆଖପାଖ ଅଞ୍ଚଳରେ ହଜାର ହଜାର ଆଶାୟୀ ଶିକ୍ଷାର୍ଥୀଙ୍କ ସ୍ୱପ୍ନ ସାକାର ହେବା ସହିତ ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ତ୍ୱରାନ୍ଵିତ ହୋଇପାରିବ ବୋଲି କୁହାଯାଉଥିଲା। ଏବେ ରାଜ୍ୟ ସରକାର ଏମ୍‌ଓୟୁକୁ ବାତିଲ କରି‌ ଦେଇଥିବାରୁ ଜିଲ୍ଲାବାସୀ ଦୁଃଖ ପ୍ରକାଶ କରିଛନ୍ତି।