ଗଣତନ୍ତ୍ର ଦିବସରେ ଇତିହାସ ରଚିବେ ଭାବନା । ପ୍ରଥମ ମହିଳା ଫାଇଟର ପାଇଲଟ ଭାବେ ଉଡାଇବେ ଯୁଦ୍ଧ ବିମାନ

ବିଶ୍ୱ ଦେଖିବ ଭାରତର ନାରୀ ଶକ୍ତି

330

କନକ ବ୍ୟୁରୋ: ଜାନୁଆରୀ ୨୬ ତାରିଖରେ ସାରା ଦେଶ ପାଳିବାକୁ ଯାଉଛି ଗଣତନ୍ତ୍ର ଦିବସ । ଆଉ ଏହି ଦିନ ଦିଲ୍ଲୀ ପରେଡରେ ଇତିହାସ ରଚିବେ ବିହାରୀ ଝିଅ ଭାବନା କାନ୍ତ । କାହିଁକି ନା ପ୍ରଥମ ଥର ପାଇଁ ଜଣେ ମହିଳା ଫାଇଟର ପାଇଲଟ ଭାବେ ସେ ଉଡାଇବେ ବାୟୁସେନାର ଯୁଦ୍ଧ ବିମାନ ।

ଭାରତୀୟ ବାୟୁସେନା ଏଥର ଗଣତନ୍ତ୍ର ଦିବସରେ ଅନେକ ଯୁଦ୍ଧ ବିମାନ ପ୍ରଦର୍ଶନ କରିବ । ତେଜସଠାରୁ ଆରମ୍ଭ କରି ରୋହିଣୀ ରାଡାର, ଆକାଶ ମିସାଇଲ୍ ଆଉ ସୁଖୋଇ ୩୦ ଭଳି ଯୁଦ୍ଧ ବିମାନ ଆକାଶରେ ନିଜର ବୀରତ୍ୱ ଦେଖାଇବେ । ଭାରତୀୟ ବାୟୁସେନା ଏଥିପାଇଁ ଫାଇଟର ପାଇଲଟମାନଙ୍କର ଏକ ସ୍ପେଶାଲ୍ ଟିମ୍ ଗଠନ କରିଛି  ଆଉ ଏହି ଟିମରେ ସାମିଲ ଅଛନ୍ତି ମହିଳା ପାଇଲଟ୍ ଭାବନା କାନ୍ତ । ପ୍ରଥମ ଥର ପାଇଁ ଜଣେ ମହିଳା ଫାଇଟର ପାଇଲଟ୍ ଭାବେ ସେ ଦିଲ୍ଲୀ ପରେଡରେ ଅଂଶଗ୍ରହଣ କରିବେ ।

ଭାବନା କହିଛନ୍ତି ପିଲାଟି ଦିନରୁ ପରେଡରେ ଭାଗ ନେବାକୁ ତାଙ୍କର ଇଚ୍ଛା ଥିଲା । ଏବେ ତାଙ୍କ ପାଇଁ ଏକ ମୌକା ଆସିଛି । ତାଙ୍କର ସ୍ୱପ୍ନ ସାକାର ହେବାକୁ ଯାଉଛି । ବାୟୁସେନାରେ ଅନ୍ୟ ଯୁଦ୍ଧ ବିମାନ ସହିତ ରାଫେଲ୍ ଆଉ ସୁଖୋଇ ଯୁଦ୍ଧ ବିମାନକୁ ଉଡାଇବା ତାଙ୍କର ପସନ୍ଦ ।

ଭାବନାଙ୍କ ଜନ୍ମ ବିହାରର ଦରଭଙ୍ଗା ଜିଲ୍ଲାରେ । ତାଙ୍କର ପିଲାଦିନ ମଧ୍ୟ ସେଠାରେ କଟିଛି । ତେବେ ଆଗକୁ ପଢିବା ପାଇଁ ସେ ବାଙ୍ଗାଲୋର ଚାଲିଆସିଥିଲେ । ସେଠାରେ ଭାବନା ଇଂଜିନିୟରିଂ ପଢିଥିଲେ । ୨୦୧୫ରେ ଭାରତୀୟ ବାୟୁସେନା ନିଜର ଫାଇଟର ଷ୍ଟ୍ରିମରେ ମହିଳାଙ୍କୁ ସାମିଲ କରିବାକୁ ଘୋଷଣା କରିଥିଲା । ବାସ୍ ସେତିକି ବେଳେ ବାୟୁସେନାରେ ସାମିଲ ହୋଇଯାଇଥିଲେ ଭାବନା । ସେବେଠାରୁ ସେ ବାୟୁସେନାରେ ଜଣେ ମହିଳା ଫାଇଟର ପାଇଲଟ୍ ଭାବେ କାମ କରୁଛନ୍ତି । ତେବେ ପ୍ରଥମ କରି ସେ ଗଣତନ୍ତ୍ର ଦିବସରେ ଯୁଦ୍ଧ ବିମାନ ଉଡାଇବା ସହ ଇତିହାସ ରଚିବେ ।