କନକ ବ୍ୟୁରୋ: ନାଗରିକତା ସଂଶୋଧନ ଆଇନ ବିରୋଧୀ ନିଆଁ ସାରା ଦେଶରେ ଜଳୁଛି । ଉତରରୁ ଦକ୍ଷିଣ ଭାରତ ଯାଏଁ ସବୁଠି ପ୍ରତିବାଦ ଓ ବିକ୍ଷୋଭ ସହ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଛି । ହିଂସାତ୍ମକ ଆନ୍ଦୋଳନ ଯୋଗୁଁ ଦିଲ୍ଲୀ ଓ ଗୁରୁଗ୍ରାମ ସୀମାକୁ ସିଲ କରାଯାଇଛି । ସେହିପରି ଲାଲକିଲ୍ଲା ଅଂଚଳରେ ଜାରି ହୋଇଛି ୧୪୪ ଧାରା । ଦିଲ୍ଲୀର ୧୯ଟି ମେଟ୍ରେ ଷ୍ଟେସନକୁ ବନ୍ଦ ଓ ୨୦ଟି ବିମାନ ଉଡାଣକୁ ରଦ୍ଦ କରାଯାଇଛି । ଦିଲ୍ଲୀରୁ ପ୍ରାୟ ୧୨ଶହ ଓ ସାରା ଦେଶରେ ୨ ହଜାରରୁ ଅଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ବିଶିଷ୍ଟ ଐତିହାସିକ ତଥା ସ୍ତମ୍ଭକାର ରାମଚନ୍ଦ୍ର ଗୁହା, ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ, ସିପିଏମ ନେତା ସୀତାରାମ ୟେଚୁରୀ ଭଳି ଦେଶର କିଛି ପ୍ରମୁଖ ବୁଦ୍ଧିଜୀବୀ ଓ ରାଜନେତା । ଏଥିସହ ଦେଶର ବିଭିନ୍ନ ସହରରେ ୪୮ ଘଂଟିଆ ମୋବାଇଲ ଇଂଟରନେଟ୍ ସେବା ଓ ଏସଏମଏସ ଉପରେ କଟକଣା ଲାଗିଛି ।

Advertisment

ନାଗରିକତା ଆଇନ୍କୁ ବିରୋଧ କରି ଓଡ଼ିଶାର ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖିବାକୁ ମିଳିଛି । କଟକ ଓ ଭୁବନେଶ୍ୱର ପରେ ଏବେ ଏହି ପ୍ରତିବାଦ ଜିଲ୍ଲା ଓ ଗ୍ରାମାଂଚଳରେ ପହଂଚିଛି । ମାଲକାନଗିରି, ସମ୍ବଲପୁର, ସାଲେପୁର ଓ ଗୁଣୁପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମାଲକାନଗିରିରେ ସିପିଆଇଏମର ଶତାଧିକ କର୍ମୀ ହାତରେ ନାଲି ପତାକା ଧରି ସହର ପରିକ୍ରମା କରି ଜିଲା୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିଥିଲେ । ନାଗରିକ ସଂଶୋଧନ ଆଇନକୁ ସଂଶୋଧନ କରିବା ସହ ଏନଆରସିକୁ ପ୍ରତ୍ୟାହାର କରିବା ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଗୁଣୁପୁର ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ମଧ୍ୟ ବିକ୍ଷୋଭ କରିଛନ୍ତି ସିପିଆଇ ଲିବରେସନ୍ ଦଳ । ସିଏଏକୁ ବିରୋଧ କରୁଥିବା ଆନ୍ଦୋଳନକାରୀଙ୍କ ଉପରେ ଦମନଲିଳା ବନ୍ଦ କରିବାକୁ ଦାବି ହୋଇଛି । ସମ୍ବଲପୁର ଓ ସାଲେପୁରରେ ବି ବିରୋଧ ଦେଖିବାକୁ ମିଳିଛି । ସାଲେପୁରରେ ମୁସଲିମ୍ ସଂପ୍ରଦାୟର ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସେହିଭଳି ସାରା ଦେଶରେ ନାଗରିକତା ସଂଶୋଧନ ଆଇନ ଓ ଏନଆରସି ବିରୋଧୀ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ ଠାରେ ବିଭିନ୍ନ କଲେଜ ଛାତ୍ରଛାତ୍ରୀ, କର୍ମଜୀବୀ, ମହିଳା, ପୁରୁଷ, ସମାଜସେବୀ ପ୍ରମୁଖ ମିଳିତ ଭାବେ ଦେଶରେ ନାଗରିକତା ସଂଶୋଧନ ଆଇନ ଓ ଏନ.ଆର.ସି. ଲାଗୁ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୋଦି ସରକାର ବିରୋଧରେ ନାରାବାଜି କରିଥିଲେ ।